ଜୟପୁର: ରବିବାର ରାଜସ୍ଥାନର ବାରନ ଜିଲ୍ଲାର ଛାବ୍ରା ସହରରେ କର୍ଫ୍ୟୁ ଜାରି ହେବା ସହ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା । ସୂଚନା ମୁତାବକ, ବିଭିନ୍ନ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ରବିବାର ଦିନ ପରସ୍ପର ଉପରେ ପଥର ଫିଙ୍ଗିବା ସହ 6ଟି ଦୋକାନରେ ନିଆଁ ଲଗାଇବା ପରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ ଜାଳି ଦେଇଥିଲେ । ଅଳ୍ପ କିଛି ଦୋକାନରୁ ମଧ୍ୟ ଲୁଟ୍ ହୋଇଥିଲା । ଫଳରେ ପୋଲିସ ବାଧ୍ୟ ହୋଇ ବ୍ୟାଟନ୍ ଚାର୍ଜ କରିଥିଲା । ଏନେଇ ଜେନେରାଲ ଇନ୍ସପେକ୍ଟର, ଜିଲ୍ଲା କଲେକ୍ଟର ଏବଂ ପୋଲିସ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକ କରି ସନ୍ଧ୍ୟାରେ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଥିଲେ ଏବଂ ପରେ ବିଭାଗୀୟ କମିଶନର ଇଣ୍ଟରନେଟ୍ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ ।
ପ୍ରକାଶଥାଉକି, ରବିବାରର ସଂଘର୍ଷ ଶନିବାର ଦିନ ଘଟିଥିବା ଏକ ଘଟଣାକୁ କେନ୍ଦ୍ର କରି ହୋଇଥିଲା । ଶନିବାର ଅହମ୍ମଦପୁରାର ବାସିନ୍ଦା କମଲ ସିଂ ଫଳ କିଣିବା ସମୟରେ କମେଣ୍ଟ ପାସର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ଦ୍ବିତୀୟ ପକ୍ଷ ଛୁରୀ ବାହାର କଲା ସେତେବେଳେ ମାମଲା ବିଗିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା କିଛି ଦୋକାନୀମାନେ ଏଥିରେ ହସ୍ତକ୍ଷେପ କରିବାରୁ ଦୁଇ ଜଣ ଆହତ ହୋଇଥିଲା । ଏହି ଘଟଣା ପରେ ଲୋକମାନେ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୋଲିସ ତିନି ଜଣ ଯୁବକଙ୍କୁ ପଚରାଉଚରା କରି ଗିରଫ ମଧ୍ୟ କରିଥିଲା ।
ତେବେ ରବିବାର କିଛି ଲୋକ ସେହି ଅଞ୍ଚଳରେ ଏକାଠି ହୋଇଥିବା ବେଳେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସେଠାକୁ ଆସିଥିଲେ । ଦୁଇ ସମ୍ପ୍ରଦାୟର ସଦସ୍ୟମାନେ ମୁହାଁମୁହିଁ ହେବା ପରେ ପରସ୍ପର ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଗ୍ନିଶମ ବାହିନୀଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।