ନୂଆଦିଲ୍ଲୀ: ବାଂଲାଦେଶର ୫୦ତମ ବିଜୟ ଦିବସ ଉତ୍ସବରେ ଯୋଗ ଦେବା ପାଇଁ ଢାକାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଅପରାହ୍ନର ସେ ଢାକା ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ୍ଲ ହମିଦ ଓ ପତ୍ନୀ ତଥା ବାଂଲାଦେଶର ପ୍ରଥମ ମହିଳା ରସହିଦା ହମିଦ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ।
ରାଷ୍ଟ୍ରପତି କୋବିନ୍ଦ ୩ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି । ସେ ୧୫ ତାରିଖରୁ ୧୭ ତାରିଖ ଯାଏଁ ବାଂଲାଦେଶରେ ରହିବା ସହ ଏକାଧିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ ବାଂଲାଦେଶ ୫୦ତମ ବିଜୟ ଦିବସ ଉତ୍ସବ ପାଳନ କରୁଥିବାବେଳେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି କୋବିନ୍ଦ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବୈଦେଶିକ ସଚିବ ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମଧ୍ୟ ବାଂଲାଦେଶ ଗସ୍ତ କରିଥିଲେ । ସେତେବେଳ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସଚିବ ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ:-Foreign Secretary Shringla In Bangladesh: ଦୁଇ ଦେଶର ସଚିବଙ୍କ ମଧ୍ୟରେ ହେଲା ଦ୍ବିପାକ୍ଷିକ ଆଲୋଚନା
ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବ । ରାଷ୍ଟ୍ରପତି ମଧ୍ୟ ଏକ ଦ୍ବିପାକ୍ଷିକ ପ୍ରତିନିଧି ମଣ୍ଡଳୀ ବୈଠକରେ ମଧ୍ୟ ସାମିଲ ହେବା ନେଇ କାର୍ଯ୍ୟସୂଚୀ ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଉଚ୍ଚସ୍ତରୀୟ ଦ୍ବିପାକ୍ଷିକ ବୈଠକରେ ବାଂଲାଦେଶ ରାଷ୍ଟ୍ରପତିଙ୍କ ଅବଦୁଲ୍ଲ ହମିଦଙ୍କ ସମେତ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀମାନେ ମଧ୍ୟ ସାମିଲ ହେବାର ସୂଚନା ରହିଛି । ସ୍ବତନ୍ତ୍ର ବାଂଲାଦେଶ ଗଠନ ତଥା ପାକିସ୍ତାନ ଠାରୁ ସ୍ବାଧୀନତା ପ୍ରାପ୍ତିରେ ବାଂଲାଦେଶକୁ ସହଯୋଗରେ କରିବାରେ ଭାରତର ଏକ ବଡ ଭୂମିକା ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ