ଚଣ୍ଡିଗଡ: ବର୍ଷା ଦେଖି ଛତା ବୁଲାଉଥିବା ନିର୍ବାଚନର ରଣନୀତି ପ୍ରସ୍ତୁକାରୀ ପ୍ରଶାନ୍ତ କିଶୋର(ପିକେ)ଙ୍କ ନୂଆ ଠିକଣା ଏବେ ପଞ୍ଜାବ ହେବାକୁ ଯାଉଛି । ଏବେଠୁ ପଞ୍ଜାବର କ୍ୟାପ୍ଟେନ ଅମରିନ୍ଦରଙ୍କ ପାଇଁ କାମ କରିବେ ପ୍ରଶାନ୍ତ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି, ପ୍ରଶାନ୍ତ କିଶୋରଙ୍କୁ ସେ ନିଜର ମୁଖ୍ୟ ପରାମର୍ଶଦାତା ରୂପେ ନିଯୁକ୍ତି ଦେଇଛନ୍ତି । ପଞ୍ଜାବର ଜନସାଧାରଣଙ୍କ ହିତ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅମରିନ୍ଦର ।
ପଞ୍ଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ରୂପେ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତି ଦିଆଯିବା ନେଇ ରାଜ୍ୟ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ ପିକେଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ଦିଆଯିବ ।
ପଞ୍ଜାବ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଶାନ୍ତ କିଶୋର ନିଜ ଦରମା ବାବଦକୁ କେବଳ ଏକ ଟଙ୍କା ନେବେ । ଏହା ବ୍ୟତୀତ ତାଙ୍କୁ ବ୍ୟକ୍ତିଗତ ସଚିବ, ପର୍ସନାଲ ଆସିଷ୍ଟାଣ୍ଡ, ଡାଟା ଏଣ୍ଟ୍ରି ଅପରେଟର, ଜଣେ କିରାଣୀ ଓ 2 ଜଣ ପିଅନର ସୁବିଧା ଦିଆଯିବ । ସେହିପରି ତାଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଡି ଯୋଗାଇ ଦିଆଯିବ । ପିକେଙ୍କ ଆତିଥ୍ୟ ପାଇଁ ପ୍ରତି ମାସ 5000 ଟଙ୍କା ଖର୍ଚ୍ଚ କରାଯିବ ।
2017ରେ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ନିର୍ବାଚନୀ ଅଭିଯାନ ଭାର ସମ୍ଭାଳିଥିଲେ ପ୍ରଶାନ୍ତ କିଶୋର । ଏହି ନିର୍ବାଚନ ଅମରିନ୍ଦର ସିଂହଙ୍କ ଚେହେରାକୁ ସାମ୍ନାରେ ରଖି ଲଢାଯାଇଥିଲା । ପିକେଙ୍କ ରଣନୀତି ଦଳକୁ ମୋଟ 117ରୁ 77ଟି ସିଟରେ ବିଜୟୀ କରାଇଥିଲା । ଏହି ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ଅମରିନ୍ଦରଙ୍କୁ ଦେଇଥିଲେ ପିକେ ।
ପ୍ରଶାନ୍ତ କିଶୋରଙ୍କ ଟିମ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି ଓ ତାମିଲନାଡୁରେ ଡିଏମକେ ପାଇଁ ନିର୍ବାଚନୀ ପ୍ରଚାର ଯୋଜନାର ଦାୟିତ୍ବ ସମ୍ଭାଳିଛନ୍ତି । ଏହା ପୂର୍ବରୁ ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ବାଚନରେ ବିଜୟ କ୍ଷେତ୍ରରେ ବଡ ଭୂମିକା ଅର୍ଜନ କରିସାରିଛନ୍ତି ।