ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅର୍ଥାତ ୧୯ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ସଂସଦର ମୌସୁମୀ ଅଧିବେଶନ । ଏହାର ଦିନକ ପୂର୍ବରୁ ସର୍ବଦଳୀୟ ବୈଠକରେ ୩୩ଟି ଦଳର ୪୦ରୁ ଊର୍ଦ୍ଧ୍ବ ନେତା ସାମିଲ ହୋଇଥିଲେ ।
ମୌସୁମୀ ଅଧିବେଶନରେ କେଉଁ ବିଷୟ ଉପରେ ଚର୍ଚ୍ଚା ହେବ ଏହାର ପରାମର୍ଶ ଦେଇଛନ୍ତି ବିଭିନ୍ନ ଦଳର ନେତା । ତେବେ ଅଧିବେଶନ ସମୟରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସୁସ୍ଥ ଓ ସାର୍ଥକ ଆଲୋଚନା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବିଭିନ୍ନ ବିଷୟକୁ ନେଇ ଏଥର ମୌସୁମୀ ଅଧିବେଶନ ବେଶ ସରଗରମ ରହିବ । ଅଧିବେଶନରେ ଅନକେ ଗୁରୁତ୍ବରୂର୍ଣ୍ଣ ବିଲ ଆଗତ କରିବେ ସରକାର । ଏହା ଉପରେ ଚର୍ଚ୍ଚା ମଧ୍ୟ ହେବ ।
ସେପଟେ ଫ୍ରାନ୍ସରେ ରାଫେଲ ଡିଲ, ଟୀକାକରଣ ନୀତି, ପେଟ୍ରୋଲ ତାତି, ସେଣ୍ଟ୍ରାଲ ଭିଷ୍ଟା ଭଳି ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି ସମାନ ନାଗରିକ ସଂହିତା ଓ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ଉପରେ ମଧ୍ୟ ଚର୍ଚ୍ଚା ହେବା ନେଇ ସମ୍ଭାବନା ରହିଛି । ଏହି ୨ ବିଧେୟକ ଉପରେ ଚର୍ଚ୍ଚା ସମୟରେ ଗୃହରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିପାରେ ।
ସଂସଦର ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସରକାର ପ୍ରୟାସ କରୁଛନ୍ତି । ହେଲେ ହଟଗୋଳର ଆଶଙ୍କାକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକରେ ନେତାଙ୍କୁ ଅପିଲ କରି ସୁସ୍ଥ ଚର୍ଚ୍ଚା ପାଇଁ ଅନୁରୋଧ କରିଛନ୍ତି ମୋଦି ।