ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନ (Budget Session 2022) ର ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ରାଜ୍ୟସଭାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ସରକାରଙ୍କ ପକ୍ଷରୁ ଜବାବ ରଖିଛନ୍ତି । ଜବାବ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ (Congress) ଦଳକୁ ପୁଣି କଡା ପ୍ରହାର କରିଛନ୍ତି ।
ଅଗର କଂଗ୍ରେସ ନା ହୋତା ତୋ...
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯଦି ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ଅନୁସାରେ ଯଦି କଂଗ୍ରେସ ନଥାନ୍ତା ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗିନଥାନ୍ତା । ମୋଦି ଆହୁରି ଆକ୍ରମଣ କରି କହିଥିଲେ କିଛି ଲୋକଙ୍କ ମନରେ ଇଣ୍ଡିଆ ଇଜ ଇନ୍ଦିରା ଓ ଇନ୍ଦିରା ଇଜ ଇଣ୍ଡିଆ ମାନସିକତା ମଧ୍ୟରେ ରଖାଯାଇଥିଲା। ସେମାନେ ଭାବୁଥିଲେ ଯଦି କଂଗ୍ରେସ ନଥାନ୍ତା କଣ ହୋଇଥାନ୍ତା, ମୋଦି କହିଛନ୍ତି ଯଦି କଂଗ୍ରେସ ନଥାନ୍ତା ଶିଖଙ୍କ ନରସଂହାର ହୋଇନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ଲୋକତନ୍ତ୍ରରେ ପରିବାରବାଦ ନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ଦେଶର ବିକାଶ ପାଇଁ ଅପେକ୍ଷା କରିବାକୁ ପଡିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା କାଶ୍ମୀର ପଣ୍ଡିତଙ୍କୁ ଘର ଛାଡିବାକୁ ପଡିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ଲୋକତନ୍ତ୍ରରେ ଦକ୍ଷତା ବଳିପଡିନଥାନ୍ତା ଯଦି କଂଗ୍ରେସ ନଥାନ୍ତା । ଭାରତର ଲୋକତନ୍ତ୍ରରେ ପ୍ରାରମ୍ଭରୁ ତର୍କ ବିତର୍କ ରହିଆସିଛି। ତାହା ଗଣତନ୍ତ୍ରର ଶୋଭା ବଢାଉଛି । କଂଗ୍ରେସର ଦୟାରେ ଦେଶର ଲୋକତନ୍ତ୍ର ଚାଲିବ ନାହିଁ । ମୋଦି କହିଥିଲେ ଦେଶର ଗଣତନ୍ତ୍ର ପାଇଁ ପରିବାରବାଦ ସବୁଠାରୁ ବଡ ବିପଦ ।
ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ...
ସେହିପରି ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଜବାବ ଦେଇ କହିଛନ୍ତି ଉପା ସରକାର ସମୟରେ ଦେଶରେ ଦରଦାମ ନିୟନ୍ତ୍ରଣ ବାହାରେ ଥିଲା । ଦରଦାମ ଆକାଶ ଛୁଆଁ ହୋଇଥିଲା । ବର୍ତ୍ତମାନ ଆମେରିକା ତୁଳନାରେ ଆମ ଦେଶର ଦରଦାମ କମ ରହିଛି । ଆମେ ଦରଦାମକୁ ନିୟନ୍ତ୍ରଣ ପାଇଁ ସବୁ ପଦକ୍ଷେପ ନେଇଛୁ ।
କୋରୋନା କାଳରେ 80 କୋଟି ଜନତାଙ୍କୁ ମାଗଣା ରାସନ...
ସେହିଭଳି ମହାମାରୀ ସମୟରେ ଦେଶର କୌଣସି ବ୍ୟକ୍ତି ଭୋକିଲା ରହିବେ ନାହିଁ, ତାହା ନିଶ୍ଚିତ କରିବା ପାଇଁ ଆମେ 80 କୋଟି ରୁ ଅଧିକ ଲୋକଙ୍କ ପାଇଁ ଲମ୍ବା ସମୟ ପାଇଁ ମାଗଣା ରାସନ ସାମଗ୍ରୀ ବ୍ୟବସ୍ଥା କରିଛୁ । ମହାମାରୀ ବେଳେ ମଧ୍ୟ ବିକାଶ କାର୍ଯ୍ୟ ଜାରି ରହିଥିଲା । ସେହି ସମୟରେ 5 କୋଟି ଗ୍ରାମୀଣ ପରିବାରକୁ ସ୍ବଚ୍ଛ ପାନୀୟ ଜଳ ସଂଯୋଗ ଯୋଗାଇ ଦେଇଛୁ ।
ରୋଜଗାରକୁ ନେଇ ଦେଲେ ସ୍ପଷ୍ଟୀକରଣ...
ଏହାସହ ମୋଦି ରାଜ୍ୟସଭାରେ ଜବାବ ଦେଇ କହିଛନ୍ତି ବର୍ଷ 2021 ରେ 1 କୋଟି 20 ଲକ୍ଷ ଲୋକ EPFO ସହ ଯୋଡି ହୋଇଛନ୍ତି । ଯେଉଁଥିରେ 65 ଲକ୍ଷ ଲୋକଙ୍କ ବୟସ ହେଉଛି 18 ରୁ 25 ବର୍ଷ । ଅର୍ଥାତ ଏହା ଏମାନଙ୍କର ପ୍ରଥମ ନିଯୁକ୍ତି । କୋଭିଡ କଟକଣା ହଟିବା ପରେ ଏବେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ଜାରି ରହିଛି ।
ସଂକଟ ବେଳେ ସୁଯୋଗ ଛାଡିଲେ ନାହିଁ ବିରୋଧୀ...
ଏହାବାଦ ମୋଦି କାହାର ନାଁ ନନେଇ କିଛି ରାଜନେତାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । କହିଛନ୍ତି ଶତାବ୍ଦୀରେ ଥରେ ଆସିଥିବା ଏହି ମହାମାରୀ ବେଳେ ଦେଶର ସଂକଟ ବେଳେ ଦେଶବାସୀଙ୍କ ସହ ଛିଡା ହେବା ବଦଳରେ କିଛି ରାଜନେତା ରାଜନୈତିକ ସ୍ବାର୍ଥ ପାଇଁ ଦେଶର ଛବିକୁ ମଳିନ କରିବାକୁ ପଛାଇ ନଥିଲେ ।
@IANS