ଚଣ୍ଡିଗଡ: ପଞ୍ଜାବର ମୋହାଲିରେ ବିଶିଷ୍ଟ ବୈଜ୍ଞାନିକ ଡ.ହୋମି ଜାହାଙ୍ଗୀର ଭାବାଙ୍କ ନାମରେ ନାମିତ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi inaugurates Homi Bhabha Cancer Hospital in mohali)। ଏହି କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ବି.ଏଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ ।
ରହିଛି ୩ ଶହ ରୋଗୀଙ୍କ ପାଇଁ ଶଯ୍ୟା :-
ସୂଚନା ଅନୁଯାୟୀ, ହୋମି ଭାବା କର୍କଟ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରରେ ଏପର୍ଯ୍ୟନ୍ତ ପ୍ରାୟ 300 ରୋଗୀଙ୍କୁ ଚିକିତ୍ସିତ କରାଯାଇ ସାରିଛି । ଏହି ଅନୁସନ୍ଧାନ କେନ୍ଦ୍ରର ମୋଟ 300 ଶଯ୍ୟାର କ୍ଷମତା ରହିଛି । ଯାହା ବର୍ତ୍ତମାନ ଆଂଶିକ କାର୍ଯ୍ୟ କରୁଥିବା ବେଳେ ଆଜି ଠାରୁ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ଅତ୍ୟାଧୁନିକ ହସ୍ପିଟାଲରେ ସର୍ଜିକାଲ୍ ଅଙ୍କୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ପ୍ରତିଷେଧକ ଅଙ୍କୋଲୋଜି, ଆନାସ୍ଥେସିଆ ଏବଂ ପଲ୍ଲିଏଟିଭ୍ କେୟାର ପାଇଁ ଓପିଡିରେ ରୋଗୀ ସେବା ଆରମ୍ଭ କରାଯାଇଛି । ବିଭିନ୍ନ ପ୍ରକାରର କର୍କଟ ରୋଗର ଚିହ୍ନଟ ପାଇଁ ଆବଶ୍ୟକ ପରୀକ୍ଷଣ ପାଇଁ ସମସ୍ତ ଆଧୁନିକ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ କରାଯାଇଛି ।
2 କିଲୋମିଟର ଅଞ୍ଚଳକୁ ସିଲ୍ କରାଯାଇଛି:-
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଲୋକାର୍ପିତ ହେବାକୁ ଥିବା ହସ୍ପିଟାଲ ପରିସରରେ କାର୍ଯ୍ୟକ୍ରମ ହେଉଥିବା ବେଳେ ଏହାର ଚାରିପାଖର ପ୍ରାୟ 2 କିଲୋମିଟର ଅଞ୍ଚଳକୁ ସମ୍ପୂର୍ଣ୍ଣ ସାଧାରଣ ଗତିବିଧି ପାଇଁ ସିଲ କରିଥିଲା ସ୍ଥାନୀୟ ପ୍ରଶାସନ । ଧାରା ୧୪୪ ଜାରି କରାଯିବା ସହ ବ୍ୟାପକ ସୁରକ୍ଷା ବଳ ମଧ୍ୟ ମୁତୟନ ହୋଇଥିଲେ । ସେହିପରି ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ନୋ ଫ୍ଲାଏଂ ଜୋନ ମଧ୍ୟ ଘୋଷଣା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ