ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ଉତ୍ସବ । ରାଜନୈତିକ ଦଳମାନଙ୍କର ମାଳ ମାଳ ପ୍ରତିଶୃତି ସହ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରର ଇମ୍ଫାଲ ଏବଂ ଉତ୍ତରପ୍ରଦେଶରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି । ଗତ ସପ୍ତାହରେ ଭାରତୀୟ ଜନତା ପାର୍ଟି (BJP) ୨୦୨୨ ମଣିପୁର ବିଧାନସଭା ନିର୍ବାଚନ ପାଇଁ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ ଏବଂ ଆଞ୍ଚଳିକ ଅଖଣ୍ଡତା ତଥା ମଣିପୁରର ଆଦିବାସୀମାନଙ୍କ ଅଧିକାର ତଥା ଏହାର ସମୃଦ୍ଧ ସଂସ୍କୃତିର ସୁରକ୍ଷା ଉପରେ ଧ୍ୟାନ ଦେଇ ଏକ 'ଫ୍ରିବିଜ୍'ର ପ୍ରତିଶୃତି ଦେଇଥିଲେ ।
ବିଜେପିର ସର୍ବଶ୍ରେଷ୍ଠ ପ୍ରତିଶୃତି ମଧ୍ୟରେ ରାଜ୍ୟର ସମସ୍ତ ପ୍ରଧାନମନ୍ତ୍ରୀ ଉଜ୍ବଳା ହିତାଧିକାରୀଙ୍କୁ ବାର୍ଷିକ ଦୁଇଟି ମାଗଣା ଏଲପିଜି(LPG) ସିଲିଣ୍ଡର ଯୋଗାଇ ଦିଆଯାଉଛି । ଏବେ କଲେଜ ଯାଉଥିବା ମେଧାବୀ ଝିଅମାନଙ୍କୁ ମାଗଣା ସ୍କୁଟି ଯୋଗାଇ ଦିଆଯିବା ସହିତ ଇଡବ୍ଲୁଏସ EWS ଏବଂ ପଛୁଆ ବିଭାଗର ଝିଅମାନଙ୍କୁ ରାନୀ ଗାଇଡିନଲ୍ୟୁ ନୁପି ମହୈରୋଇ ସିଙ୍ଗି ସ୍କିମ୍ ଅନ୍ତର୍ଗତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୋଦି । ଆସନ୍ତା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୫ ରେ ମଣିପୁର ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।
ଉତ୍ତରପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନର ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଆହୁରି ଜୋରଦାର କରିଛି । ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଣୀଗଞ୍ଜ, କୋରାଓନ୍ ଏବଂ ପ୍ରୟାଗର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାଗରେ ରୋଡ୍ ସୋ ମଧ୍ୟ କରିବେ । ଏହା ସହିତ ଗୃହମନ୍ତ୍ରୀ ମଧ୍ୟ ପ୍ରୟାଗରାଜ (ଗଙ୍ଗାପର)ରେ ପ୍ରଚାର କରିବେ । ସେପଟେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ମଧ୍ୟ ଆଜି ମହାନଗର ନିଗମର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାଗରେ ପ୍ରଚାର କରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ