କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିବା ପରେ ନିଜ ସ୍ବାମୀ ନିଖିଲ ଜୈନଙ୍କ ସହ ସମ୍ପର୍କକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଦେଇଛନ୍ତି କଡା ପ୍ରତିକ୍ରିୟା ।
ନୁସରତ ଏକ ବୟାନ ଜାରି କରି କହିଛନ୍ତି, ନିଖିଲଙ୍କ ସହ ନିଜ ବିବାହ ଓ ବିବାହ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ କରାଯାଇଥିବା ଜାଲିଆତି ନେଇ କରିଛନ୍ତି ଖୁଲାସା । ନୁସର କହିଛନ୍ତି, ନିଖିଲ ମୋତେ ନ ଜଣାଇ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢିଛନ୍ତି ।
ନୁସରତ ନିଜ ବୟାନରେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ନିଜକୁ ଧନୀ ବୋଲି ଜଣାଇ ମୁଁ ତାଙ୍କ ୟୁଜ୍ କରିଥିବା କହୁଛନ୍ତି, ସେ ରାତିରେ କୌଣସି ବି ସମୟରେ ଅବୈଧ ଭାବରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢିଛନ୍ତି । ଅଲଗା ହେବା ପରେ ମଧ୍ୟ ଏହା ଜାରି ରହିଛି ।
ନୁସରତ କହିଛନ୍ତି, ମୁଁ ଉଚିତ ବ୍ୟାଙ୍କିଙ୍ଗ୍ ଅଥରିଟିକୁ ଏ ବାବଦରେ ପୂର୍ବରୁ ସୂଚନା ଦେଇଥିଲି । ଆଉ ଖୁବ ଶୀଘ୍ର ଥାନାରେ ଏନେଇ ଏତଲା ଦାଏର କରିବେ ବୋଲି କହିଛନ୍ତି ନୁସରତ ।
ଅଭିନେତ୍ରୀ କହିଛନ୍ତି, ସ୍ବାମୀଙ୍କ ଅନୁରୋଧ କ୍ରମେ ମୋର ଆଉ ମୋ ପରିବାରର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ତାଙ୍କୁ ଦିଆଯାଇଥିଲା । ଏହା ପରେ ବ୍ୟାଙ୍କକୁ ଆକାଉଣ୍ଟ ବାବଦରେ ଦିଆଯାଇଥିବା ନିର୍ଦ୍ଦେଶ ନା ମୋତେ ନା ମୋ ପରିବାର, କାହାକୁ ବି ସୂଚୀତ କରାଯାଇନାହିଁ । ହେଲେ ନିଖିଲ ମୋ ଅନୁମତି ବିନା ମୋ ଭିନ୍ନଭିନ୍ନ ଆକାଉଣ୍ଟର ଫଣ୍ଡ୍ସର ଭୁଲ ବ୍ୟବହାର କରିଛନ୍ତି ।
ଏବେ ବି ଏହାକୁ ନେଇ ବ୍ୟାଙ୍କ ସହ ଲଢୁଥିବା କହିଛନ୍ତି ନୁସରତ । ଆଉ ଆବଶ୍ୟକ ପଡିଲେ ପ୍ରମାଣ ମଧ୍ୟ ଦେବେ ବୋଲି କହିଛନ୍ତି ସାଂସଦ ନୁସରତ ଜାହାଁ ।
ନୁସରତ ଅଭିଯୋଗ କରିଛନ୍ତି, ଯାହା କିଛି ଥିଲା ମୋ ଶାଢୀ, ଡ୍ରେସ, ବ୍ୟାଗ, ଟଙ୍କା, ସମ୍ପତ୍ତି ସବୁ କିଛି ତାଙ୍କ ପାଖରେ ରହିଛି । ମୋତେ ଏହା କହି କଷ୍ଟ ହେଉଛି ଯେ ମୋ ପୈତୃକ ଗହଣା, ଯାହା ପରିବାର ପରିଜନ, ସମ୍ପର୍କୀୟ, ବନ୍ଧୁ ଦେଇଥିଲେ ଆଉ ଏହାସହ ମୋ କଷ୍ଟ ଅର୍ଜିତ ସମସ୍ତ ସମ୍ପତ୍ତି ଏବେ ତାଙ୍କ ପାଖରେ ଥିବା କହିଛନ୍ତି ନୁସରତ ।
ନୁସରତ କହିଛନ୍ତି, ଧନୀ ହେବା କୌଣସି ମଣିଷକୁ ପୀଡିତ କରିବା କିମ୍ବା କୌଣସି ମହିଳାଙ୍କୁ ଏକୁଟିଆ ଛାଡିବାର ଅଧିକାର ଦିଏନାହିଁ । କଠିନ ପରିଶ୍ରମ ପରେ ମୁଁ ନିଜ ପରିଚୟ ହାସଲ କରିଛି । ଏଥିପାଇଁ ମୁଁ ମୋ ପରିଚୟ ଆଧାରରେ ମୋ ସହ ଜଡିତ କୌଣସି ବ୍ୟକ୍ତିକୁ ନିଜ ଅଂଶର ଲାଇମଲାଇଟ, ଟାଇଟଲ କିମ୍ବା ଫୋଲଅର୍ସ ସେୟାର କରିବାର ଅଧିକାର ଦେବିନାହିଁ ।
ମୁଁ କେବେ ବି ନିଜ ଜୀବନ ସହ ଜଡିତ ବ୍ୟକ୍ତି ବିଷୟରେ କହିବି ନାହିଁ । ଏଥିପାଇଁ ଯିଏ ନିଜକୁ ସାଧାରଣ ମଣିଷ କହୁଛନ୍ତି, ସେମାନେ ଏସବୁରୁ ନିଜ ମନୋରଞ୍ଜନ କରିବା ଉଚିତ ବୋଲି କହିଛନ୍ତି ନୁସରତ ।