ହାଇଦ୍ରାବାଦ: ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂର ଗିରଫଦାରିକୁ ବିରୋଧ କରି ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଓ ଭଙ୍ଗାରୁଜା କରିଥିବା ଅଭିଯୁକ୍ତଙ୍କ ଫଟୋ ଜାରି କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ପ୍ରଥମ ପର୍ଯ୍ୟାୟରେ ଏହି ଆକ୍ରମଣରେ ସାମିଲ ଥିବା 45 ଖଲିସ୍ତାନୀ ସମର୍ଥକଙ୍କ ଫଟୋ ଜାରି କରାଯାଇଛି । ଗତ 2 ଦିନ ତଳେ ସଂସ୍ଥା ଲଣ୍ଡନରୁ ଆକ୍ରମଣ ସମୟର ସିସିଟିଭି ଓ ଅନ୍ୟାନ୍ୟ ଭିଡିଓ ସଂଗ୍ରହ କରିଥିଲା । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ତଦନ୍ତକାରୀ ସଂସ୍ଥା ସାଧାରଣ ଲୋକଙ୍କ ସହାୟତା ମଧ୍ୟ ନେଇଥିଲା । ବିଭିନ୍ନ ଆଡୁ ମିଳିଥିବା ସୂଚନା ଆଧାରରେ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା 45 ଅଭିଯୁକ୍ତଙ୍କ ଫଟୋ ଜାରି କରାଯାଉଛି ।
ଏମାନଙ୍କ ଫଟୋ ଜାରି କରିବା ସହ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଏନଆଇଏ ହ୍ବାଟ୍ସଆପ ନମ୍ବର (+917290009373) ମଧ୍ୟ ଜାରି କରିଛି । କିଛି ସୂଚନା ଥିଲେ ଏହି ନମ୍ବରରେ ଜଣାଇବା ପାଇଁ ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ତଥ୍ୟ ମିଳିବା ପରେ ବିଦେଶ ମନ୍ତ୍ରଣାଳୟ ସେମାନଙ୍କ ପାସପୋର୍ଟ ଓ ଭିସା ଯାଞ୍ଚ କରିବା ଆରମ୍ଭ କରିବ । ସେମାନେ କେବେ ଓ କେଉଁଠୁ ଲଣ୍ଡନ ଗସ୍ତ କରିଥିଲେ ସେ ନେଇ ତଥ୍ୟ ସଂଗ୍ରହ କରାଯିବ । ଭାରତୀୟ ପାସପୋର୍ଟରେ ଲଣ୍ଡନ ଗସ୍ତ କରିଥିବା ପଞ୍ଜାବୀ ଶିଖଙ୍କ ସମ୍ପର୍କରେ ମଧ୍ୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ଅନ୍ୟପଟେ ଲଣ୍ଡନରେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ତଥା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅବତାର ସିଂର ଆଜି ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି ।
ମାର୍ଚ୍ଚ 19 ତାରିଖରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ, ଭଙ୍ଗାରୁଜା ହୋଇଥିଲା । ପଞ୍ଜାବରେ ପୋଲିସ ଷ୍ଟେସନ ଆକ୍ରମଣ କରି କାର୍ଯ୍ୟରତ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ପରେ ଲଣ୍ଡନରେ ଏହି ଖଲସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ନିକଟରେ ଏକାଠି ହୋଇ ପ୍ରତିବାଦ କରିଥିଲେ । ପ୍ରତିବାଦ କ୍ରମଶଃ ଆକ୍ରମଣର ରୂପ ନେଇଥିଲା । ସେମାନେ ହାତରେ ଖଲିସ୍ତାନୀ ପତାକା ଧରି ଦୂତାବାସ କାର୍ଯ୍ୟାଳୟରେ ପ୍ରବେଶ ଉଦ୍ୟମ କରିବା ସହ ସେଠାରେ ଲଗାଯାଇଥିବା ତ୍ରିରଙ୍ଗାକୁ ମଧ୍ୟ ଅସମ୍ମାନିତ କରିଥିଲେ । ଏହି ଘଟଣାରେ ଭାରତ-ବ୍ରିଟେନ ମଧ୍ୟରେ ଗମ୍ଭୀରତାର ସହ ଆଲୋଚନା ହେବା ପରେ ବ୍ରିଟଶ ପୋଲିସ ଦୂତବାସକୁ ସୁରକ୍ଷା ଯୋଗାଇଥିଲା ।
ସେତେବେଳେ ଏହି ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନର ପ୍ରବାସୀ ଭାରତୀୟ ସମୁଦାୟ ଦାବି କରିଥିଲେ । ଏବେ ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଆକ୍ସନମୋଡକୁ ଆସିଛି । ପ୍ରାୟତଃ ଆକ୍ରମଣରେ ସାମିଲ ଖଲିସ୍ତାନୀ ସମର୍ଥକଙ୍କୁ ଚିହ୍ନଟ କରାଯାଇ ସାରିଛି । ଅଧିକ ତଥ୍ୟ ଯୋଗାଡରେ ଲାଗିଛି ସଂସ୍ଥା । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରାୟତଃ ଏକପ୍ରକାର ସ୍ପଷ୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ