ରାୟପୁର: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିର୍ବାଚନୀ କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ମୁଣ୍ଡ ଗଡାଇଲେ ନକ୍ସଲ । ଆଜି (ଗୁରୁବାର) ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତ କାଙ୍କେର ଅନ୍ତର୍ଗତ ନାରାୟଣପୁରରେ ନକ୍ସଲମାନେ 3 ସ୍ଥାନୀୟ ବାସିନ୍ଦାଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କୁ ପୋଲିସ ଇନଫର୍ମର ସନ୍ଦେହର ଗତକାଲି(ବୁଧବାର) ଠାରୁ ଅପହରଣ କରିନେଇଥିଲା ଲାଲବାହିନୀ । ଆଜି ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । 3 ସ୍ଥାନୀୟ ମୃତକଙ୍କ ମୃତଦେହ ପୋଲିସ ଜବତ କରିଛି । ସେହିପରି ବିଜାପୁରରେ ମଧ୍ୟ ଜଣଙ୍କୁ ନକ୍ସଲ ହତ୍ୟା କରିଥିବା ସୂଚନା ମିଳିଛି ।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, କାଙ୍କେର ସଦର ମହକୁମାରୁ ପ୍ରାୟ 13 କିମି ଦୂରରେ ଥିବା ମୋରଖଣ୍ଡି ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ନକ୍ସଲଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ସମସ୍ତ 3 ମୃତକ ସ୍ଥାନୀୟ ବାସିନ୍ଦା । ସେମାନଙ୍କ ମଧ୍ୟରେ 35 ବର୍ଷୀୟ କୁଲ୍ଲେ କତଲାମୀ, 22 ବର୍ଷୀୟ ମନୋଜ କୋବାଚୀ ଓ 27 ବର୍ଷୀୟ ଡୁଗ୍ଗେ କୋବାଚୀ ରହିଛନ୍ତି । ସ୍ଥାନୀୟ ପୋଲିସ ଏବେ ମାମଲାର ଯାଞ୍ଚ କରୁଛି । ସେହିପରି ରାଜ୍ୟର ସର୍ବାଧିକ ନକ୍ସଲ ପ୍ରଭାବିତ ବଜାପୁରରେ ମଧ୍ୟ ଜଣେ ସ୍ଥାନୀୟଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ଏକ କେନାଲ କୂଳରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- Gaza israel war: ଗାଜା ଛାଡିବେ 400ରୁ ଅଧିକ ବିଦେଶୀ
ରାଜ୍ୟର ବିଜାପୁର ସମେତ କିଛି ସ୍ଥାନରେ ନିର୍ବାଚନ ସମୟରେ ନକ୍ସଲ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ସୁରକ୍ଷା ବଳ । କିଛି ସ୍ଥାନରେ ନକ୍ସଲ ସ୍ଥାନୀୟ ଲୋକଙ୍କୁ ଭୋଟ ବର୍ଜନ କରିବା ସହ ପ୍ରଶାସନକୁ ମଧ୍ୟ ନିର୍ବାଚନ ନକରାଇବା ପାଇଁ ଚେତାବନୀ ଦେଇଛନ୍ତି ।
ଭୋଟ ଗ୍ରହଣ ବ୍ୟବସ୍ଥା କଲେ ଅଧିକାରୀଙ୍କ ଟିମ୍ ଉପରେ ଆକ୍ରମଣ କରାଯିବା ନେଇ ଲାଲବାହିନୀ ଧମକ ଦେଇଛି । ପୋଲିସ ହିଂସା ରୋକିବା ସହ ମତଦାନ କରିବା ପାଇଁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛି । ଅନ୍ୟପଟେ ଆଜି କାଙ୍କେରରେ ଦଳ ପାଇଁ ନିର୍ବାଚନୀ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦଳ ପକ୍ଷରୁ ଆୟୋଜିତ ‘ବିଜୟ ସଙ୍କଳ୍ପ ଯାତ୍ରା’କୁ ସମ୍ବୋଧିତ କରିବା ସହ ଭୂପେଶ ବଘେଲ ସରକାର ଉପରେ ବର୍ଷିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ