ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ମନ କି ବାତ ଆସନ୍ତାକାଲି(ରିବବାର) ୧୦୦ ତମ ଏପିସୋଡ୍ ପୂରଣ କରିବ । ତେବେ ନିକଟ ଅତିତରେ ରାଜଧାନୀ ନୂଆ ଦିଲ୍ଲୀରେ ଏକ କନକ୍ଲେଭର ଆୟୋଜନ କରାଯାଇଥିଲା । ଏଥରେ ଅନେକ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ରହିଥିଲେ । ତେବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ସେ ଏକ ପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି । ମହିଳାଙ୍କ ନାମ ପୁନମ ଦେବୀ ।
ଏହି କନକ୍ଲେଭରେ ପୁନମ ଦେବୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ଛୁଆ ସୁସ୍ଥ ରହିଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଉତ୍ତରପ୍ରଦେଶ ଲଖୀମପୁର ଖେରୀର ମହିଳା ପୁନମ ଦେବୀଙ୍କୁ ପ୍ରଶଂସା କରିଥିଲେ ମୋଦି । ତେବେ ଏହି କାର୍ଯ୍ୟକ୍ରମ ୧୦୦ ଏପିସୋଡ ପୂରଣ କରିବାକୁ ଯାଉଥିବା ବେଳେ ଏକ କନକ୍ଲେଭ ଆୟୋଜନ କରାଯାଇଥିଲା । ପୁନମ ମଧ୍ୟ ସେଥିରେ ଯୋଗଦାନ କରିଥିଲେ ।
ଏହି ଘଟଣାକୁ ନେଇ ଏମିତି କହିଲେ ପୁନମଙ୍କ ପରିବାର ଲୋକେ: ପୁନମ ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରନ୍ତୁ । ବର୍ଜ୍ୟବସ୍ତୁରୁ ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କରନ୍ତି । ଶିଶୁ ପୁତ୍ର ଜନ୍ମ ହେବା ପରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି," ବିଶେଷ ଦିନରେ ଆମ ପରିବାରକୁ ଏକ ନୂଆ ଅତିଥି ଆସିଛି । ଆମକୁ ବହୁତ ଖୁସି ଲାଗୁଛି ।" ପୁନମ ଖେରୀର ଏକ ଛୋଟିଆ ଗ୍ରାମରେ ରହୁଛନ୍ତି । ସେ କଦଳୀ ବାସୁଙ୍ଗାରୁ ବିଭିନ୍ନ ହ୍ୟାଣ୍ଡବ୍ୟାଗ, ମ୍ୟାଟ ସହ ଅନାନ୍ୟ ଜିନିଷ ତିଆରି କରିଥାନ୍ତି । ସେ ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବେ ଏଭଳି କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ।
ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଏପିସୋଡ ଅବସରରେ ଦିଲ୍ଲୀରେ ଆୟୋଜିତ କନକ୍ଲେଭକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଉଦଘାଟନ କରିଥିଲେ । ଏଥରେ ଗୃହମନ୍ତ୍ରୀ ଅମିତ ଶାହ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।