ଚଣ୍ଡିଗଡ଼: ପଞ୍ଜାବ ଲୁଧିଆନାରେ ଏକ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଠି ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଥିବା ଜଣେ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଏହି ମୃତକ ଜଣକ ସରକାରୀ ବ୍ୟାଙ୍କ ମ୍ୟାନେଜର ଥିବା ବେଳେ ସେ ନିଜ ଭଡ଼ାଘରେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହା ହତ୍ୟା କି ଆତ୍ମହତ୍ୟା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ଏହି ମୃତକଙ୍କ ନାମ ବିନୋଦ ମସିହ ବୋଲି ଜଣାପଡ଼ିଛି । ତେବେ ନିଜ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ବେଳେ ସେ ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଥିବା ପୋଲିସ କହିଛି। ତେବେ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ବିନୋଦଙ୍କ ଘର ମାଲିକ ଅନେକ ଥର ଘର କବାଟ ବାଡ଼େଇଥିବା ବେଳେ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏହାପରେ ଘର ମାଲିକଙ୍କ ସନ୍ଦେହଜାତ ହୋଇଥିଲା । ଏନେଇ ସେ ଲୋକାଲ କାଉନ୍ସିଲର ଗୁରଦୀପ ସିଂ ନୀତୁଙ୍କୁ ସୂଚନା ଦେଇଥିଲେ । ଏହାପରେ ସମସ୍ତେ ପୁଣି ଆଉ ଥରେ ବିନୋଦଙ୍କ ଘର କବାଟ ବାଡ଼େଇଥିଲେ । ମାତ୍ର ଭିତରୁ କୌଣସି ଉତ୍ତର ମିଳିନଥିଲା ।
ଏହା ବି ପଢନ୍ତୁ- ରକ୍ଷକ ସାଜିଲା ଭକ୍ଷକ, 4ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ବାପା
ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ତେବେ ପୋଲିସ କବାଟ ଭାଙ୍ଗି ବିନୋଦଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ଫରେନ୍ସିକ ଟିମ୍ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି । ମୃତଦେହର ବ୍ୟବଚ୍ଛେଦ ପାଇଁ ପୋଲିସ ବିନୋଦଙ୍କ ମର ଶରୀରକୁ ହସ୍ପିଟାଲକୁ ପଠାଇ ଦେଇଛି । ଘର ମାଲିକଙ୍କ କହିବା ଅନୁସାରେ ବିନୋଦ ଗତ ଦେଢ ବର୍ଷ ଧରି ଏଠାରେ ବାସ କରୁଥିଲେ । ତାଙ୍କର ପତ୍ନୀ ଓ 2ଟି ସନ୍ତାନ ମଧ୍ୟ ରହିଛନ୍ତି । ସେ ଫିରୋଜପୁର ୱାଲି ବସ୍ତିର ମୂଳ ବାସିନ୍ଦା ବୋଲି ସେ କହିଛନ୍ତି ।
ତେବେ ଏଠାରେ ସେ ଭଡ଼ା ଦେଇ ରହୁଥିବା ବେଳେ ଗତ 3 ଦିନ ପୂର୍ବରୁ ସେ ନିଜର ଜନ୍ମଦିନ ମଧ୍ୟ ପାଳିଥିଲେ। ହେଲେ ଏପରି ହଠାତ କଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ଜଣାପଡିନାହିଁ । ସେପଟେ ପୋଲିସ ପାଇଁ ଏହି ମୃତ୍ୟୁ ଘଟଣା ଏବେ ରହସ୍ୟ ପାଲଟିଛି । ଯଦି ବିନୋଦ ଆତ୍ମହତ୍ୟା କରିଛନ୍ତି, ତେବେ କାହିଁକି ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଥିଲେ ସେ ନେଇ ତନାଘନା ଆରମ୍ଭ କରିଛି ପୋଲିସ । ବିନୋଦଙ୍କ ଚାଲିଚଳନ ଓ ବ୍ୟବହାର ନେଇ ପାଖ ପଡୋଶୀଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି ।