ମୁମ୍ବାଇ: କୋରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଲୋକଙ୍କ ଚିନ୍ତା ଅଧିକ ବଢାଇ ଦେଇଛି । କୋରୋନା କାରଣରୁ ଲୋକ ମ୍ୟୁକୋରମାଇକୋସିସ ବା ବ୍ଲାକ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗୁଜୁରାଟ ଏବଂ ଦିଲ୍ଲୀରୁ ଏକାଧିକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ କୋରୋନାରେ ସଂକ୍ରମିତ ହେବାପରେ ଲୋକ ମ୍ୟୁକୋରମାଇକୋସିସ ରୋଗରେ ସଂକ୍ରମିତ ହେଉଛନ୍ତି । ତେବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ଗୁରୁତର କୋଭିଡ ରୋଗୀ ମ୍ୟୁକୋରମାଇକୋସିସ କାରଣରୁ ମୃତ୍ୟୁ ବରଣ କରିଥିବା ସ୍ୱାସ୍ଥ୍ୟ ଅଧିକାରୀ ବୁଧବାର କହିଛନ୍ତି ।
ଏହା ବ୍ୟତୀତ ଅନ୍ୟ 6 ଜଣ ରୋଗୀ ବର୍ତ୍ତମାନ ଏହି ରୋଗjେ ଚିକିତ୍ସିତ ହେଉଛନ୍ତି ବୋଲି ଅଧିକାରୀ କହିଛନ୍ତି । ଏହି ମୃତକଙ୍କ ମଧ୍ୟରେ ଜଣେ ଥାନେ ମହାରାଲ ଗ୍ରାମାଞ୍ଚଳର 38 ବର୍ଷୀୟ ହୋଇଥିବାବେଳେ ଆଉ ଜଣେ ଡୋମ୍ବିଭଲି ସହରର ବୋଲି ଜଣାପଡ଼ିଛି । ତେବେ ଏମାନେ କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ୍ (କେଡିଏମସି) ଅଞ୍ଚଳରେ ଥିବା କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ସିଭିଲ ବଡ଼ିର ସ୍ୱାସ୍ଥ୍ୟ ଅଧିକାରୀ ଡ. ଅଶ୍ୱିନୀ ପାଟିଲ କହିଛନ୍ତି ।
ଅନ୍ୟପଟେ ଚିକିତ୍ସିତ ହେଉଥିବା 6 ଜଣଙ୍କ ମଧ୍ୟରେ 2 ଜଣ ଆଇସିୟୁରେ ଥିବା ସେ କହିଛନ୍ତି । ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ କୋଭିଡ ରୋଗୀଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହି ଫଙ୍ଗଲ୍ ସଂକ୍ରମଣ ପ୍ରାୟତଃ ଡାଇବେଟିସ ରୋଗୀଙ୍କଠାରେ ଦେଖାଯାଏ । ଏହିପରି ରୋଗୀମାନେ ସେମାନଙ୍କର ବ୍ଲଡରେ ଥିବା ସୁଗାର ଲେବୁଲକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମ୍ୟୁକୋରମାଇକୋସିସ ରୋଗର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଜ୍ୱର, ଆଖି ତଳେ ଯନ୍ତ୍ରଣା, ନାକ ସଂକ୍ରମଣ ଏବଂ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ । ମଙ୍ଗଳବାର ଦିନ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2,000 ରୁ ଅଧିକ ମ୍ୟୁକୋରମାଇକୋସିସ ରୋଗୀ ରହିପାରନ୍ତି ଏବଂ ଅଧିକରୁ ଅଧିକ କୋଭିଡ ମାମଲା ଆସୁଥିବାରୁ ସେମାନଙ୍କ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଏହା ସହ ମେଡିକାଲ୍ କଲେଜ ସହ ଜଡ଼ିତ ଡାକ୍ତରଖାନାଗୁଡ଼ିକୁ ମ୍ୟୁକୋରମାଇକୋସିସ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
ଏହି ସମୟରେ କଲ୍ୟାଣରୁ ଲୋକସଭା ସଦସ୍ୟ ଡ. ଶ୍ରୀକାନ୍ତ ସିନ୍ଦେ ପ୍ରକାଶ କରିଛନ୍ତି ଯେ, ସପ୍ତାହର ଶେଷ ଭାଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏକ ଭର୍ଚୁଆଲ ବୈଠକରେ ସେ ଫଙ୍ଗଲ ସଂକ୍ରମଣକୁ କିପରି ମୁକାବିଲା କରାଯିବ, ସେନେଇ ଅନେକ ପରାମର୍ଶ ଦେଇଛନ୍ତି। ଏହା ସହ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ ବ୍ୟବହାର କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ସିନ୍ଦେ ପରାମର୍ଶ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ