ନୂଆଦିଲ୍ଲୀ: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଦିବଂଗତ ପୂର୍ବ ସଦସ୍ୟଙ୍କୁ ଲୋକସଭା ପକ୍ଷରୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି । ସେମାନଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲା ଲୋକସଭା । ପରେ ବାଚସ୍ପତି ଓମ ବିର୍ଲା ମୌସୁମୀ ଅଧିବେଶନରେ ହୋଇଥିବା କାର୍ଯ୍ୟକ୍ରମ ଉପରେ ଲୋକସଭାକୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପୁରା ଅଧିବେଶନରେ ମାତ୍ର ୨୨ ପ୍ରତିଶତ କାମ ହୋଇପାରିଛି । ବିରୋଧୀଙ୍କ ବିଶୃଙ୍ଖଳା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରି ନାହିଁ ।
ସେହିପରି ସଂସଦ ମୌସୁମୀ ଅଧିବେଶନ ପାଇଁ ବାଚସ୍ପତି ପ୍ରଧାନମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାବାଦ ଲୋକସଭା ପରିଚାଳନାରେ ସହଯୋଗ ପାଇଁ ସମସ୍ତ ସଦସ୍ୟ, କର୍ମଚାରୀ, ଅଧିକାରୀ, ସେକ୍ରେଟାରୀ ଜେନେରାଲ, ସମସ୍ତ ମନ୍ତ୍ରଣାଳୟ, ସୁରକ୍ଷା କର୍ମୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
ପରେ ଲୋକସଭାରେ ଆଶା ଜନକ କାମ ହୋଇପାରିନଥିବାରୁ ଦୁଃଖ ପ୍ରକାଶ କରିବା ସହ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ