ଲକ୍ଷ୍ନୌ: ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତରେ ବଢିବାରେ ଲାଗିଛି ମନ୍ଦିର- ମସଜିଦ ମାମଲା । ଗୋଟିଏ ପରେ ଗୋଟିଏ ମାମଲା ଏବେ କାଠଗଡାରେ । ବାରାଣାସୀର କାଶୀ ବିଶ୍ବନାଥ ମନ୍ଦିର ସଂଲଗ୍ନ ଜ୍ଞାନବ୍ୟାପୀ ମସଜିଦ ବିବାଦର ଶୁଣାଣି ପ୍ରକ୍ରିୟା ଜାରି ରହିଥିବାବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ କୃଷ୍ଣ ଜନ୍ମଭୂମି ମାମଲା । କୃଷ୍ଣ ଜନ୍ମଭୂମି କମ୍ପ୍ଲେକ୍ସ ପରିସରରେ ଥିବା ମସଜିଦ ଉଚ୍ଛେଦ ନେଇ ହୋଇଥିବା ମାମଲାର ଶୁଣାଣି କରିବା ଦିଗରେ ସହମତି ପ୍ରକାଶ କରିଛନ୍ତି ମଥୁରା କୋର୍ଟ ।
ଖୁବଶୀଘ୍ର ଏହି ମାମଲାର ଶୁଣାଣି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋବାକୁ ଯାଉଛି । ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ହରିଶଙ୍କର ଜୈନ କୃଷ୍ଣ ଜନ୍ମଭୂମି ପରିସରରୁ ମସଜିଦ ହଟାଇବା ପାଇଁ ଏହି ଆବେଦନ କରିଥିଲେ । ଏହି ପ୍ରସଙ୍ଗରେ ଏକାଧିକ ମାମଲା ମଧ୍ୟ ଦାଏର ହୋଇଛି । ଉତ୍ତର ପ୍ରଦେଶ ମଥୁରାରେ ପ୍ରାୟ 13 ଏକର (13.37 acres) ଜମିରେ ପ୍ରତିଷ୍ଠିତ କୃଷ୍ଣ ଜନ୍ମଭୂମି କମ୍ପ୍ଲେକ୍ସ ପରିସର ନିକଟବର୍ତ୍ତୀ ସ୍ଥାନରେ ସାହି ଇଦଗା ମସଜିଦ (Shahi Idgah Mosque) ରହିଛି । ଏହାକୁ ହଟାଇବା ପାଇଁ ଆବେଦନ ହୋଇଥିଲା ।
ଏହି ମସଜିଦକୁ 17ଶହ ଖ୍ରୀଷ୍ଟାବ୍ଦରେ ମୋଗଲ ଶାସନ କାଳରେ ନିର୍ମାଣ କରାଇଥିବା ଅନୁମାନ କରାଯାଏ । ତେବେ ଏହି ମାମଲା ଶୁଣାଣି ପାଇଁ ସୂଚୀତ ହେବା ପରେ ଚର୍ଚ୍ଚା ଜୋର ଧରିଛି । ଉତ୍ତରପ୍ରଦେଶ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲା, ନୂଆଦିଲ୍ଲୀର କୁତବ ମିନାର କମ୍ପ୍ଲେକ୍ସ ମାମଲା ପରେ ଏବେ ମଥୁରା କୃଷ୍ଣ ଜନ୍ମଭୂମି ମାମଲା ମଧ୍ୟ କୋର୍ଟର ବିଚାର ପ୍ରକ୍ରିୟା ମଧ୍ୟକୁ ଆସିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ