ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଛନ୍ତି ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାର । ସିପିଆଇ ନେତା ରହିଥିବା କହ୍ନେୟା କୁମାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଧରିଛନ୍ତି କଂଗ୍ରେସର ହାତ ।
2015 ରେ ଜେଏନୟୁ ଛାତ୍ର ସଂସଦର ସଭାପତି ହୋଇଥିଲେ କହ୍ନେୟା କୁମାର । ବାମପନ୍ଥୀ ଛାତ୍ରସଂଗଠନର ଦବଦବା ପାଇଁ ପରିଚିତ ଜେଏନୟୁରେ କହ୍ନେୟା କୁମାରଙ୍କ ୫ ବର୍ଷ ପୁରୁଣା ଏକ ଭିଡିଓ ଭାଇରାଲ ହେବା ପରେ ବଢିଥିଲା ବିବାଦ । ଭିଡିଓରେ ଦିଆଯାଉଥିଲା ଦେଶବିରୋଧୀ ନାରା । ହେଲେ ଏହି ମାମଲାରେ କୋର୍ଟରେ ନିର୍ଦ୍ଦୋଶ ପ୍ରମାଣିତ ହୋଇସାରିଛନ୍ତି କହ୍ନେୟା ।
୨୦୧୯ରେ ସିପିଆଇ ଟିକଟରୁ ବିହାରର ବେଗୁସରାଇ ଲୋକସଭା ଆଶନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ କହ୍ନେୟା । ହେଲେ ଭାରତୀୟ ଜନତା ପାର୍ଟିର ଗିରିରାଜ ସିଂହଙ୍କଠାରୁ ମାତ ଖାଇଥିଲେ କହ୍ନେୟା କୁମାର ।
କହ୍ନେୟା କୁମାର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ଛାତ୍ର ସଂଗଠନ ଅଖିଳ ଭାରତୀୟ ଛାତ୍ର ପରିଷଦ (AISF)ର ଛାତ୍ର ନେତା ଥିଲେ। ସେ 2015 ରେ ଜେଏନୟୁ (ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ) ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଫେବୃଆରୀ 2016, ଜେଏନୟୁରେ ସଂସଦ ଆକ୍ରମଣ ଦୋଷୀ ମହମ୍ମଦ ଅଫଜଲ ଗୁରୁଙ୍କ ଫାଶୀ ବିରୋଧରେ ଚାଲିଥିବା ଛାତ୍ର ସମାବେଶରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗରେ ରୁଜୁ ହୋଇଥିଲା ଦେଶଦ୍ରୋହ ମାମଲା । ଏହି ମାମଲାରେ କହ୍ନେୟା କୁମାରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।
ଦେଶ ବିରୋଧୀ ସ୍ଲୋଗାନରେ ମାମଲାରେ କୁମାରଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନଥିବାରୁ ତାଙ୍କୁ 2 ମାର୍ଚ୍ଚ 2016ରେ ଅନ୍ତରୀଣ ଜାମିନରେ ବନ୍ଦୀ ମୁକ୍ତ କରାଯାଇଥିଲା। ଏହା ବ୍ୟତୀତ ଜେଏନୟୁର କୁଳପତିଙ୍କ ଦ୍ବାରା ଗଠିତ ଏକ ଅନୁଶାସନ କମିଟି ମଧ୍ୟ ବିବାଦୀୟ ଘଟଣାର ଅନୁସନ୍ଧାନ କରିଥିଲା । ପ୍ରାଥମିକ ଅନୁସନ୍ଧାନ ରିପୋର୍ଟକୁ ଆଧାର କରି କହ୍ନେୟା କୁମାର ଏବଂ ଅନ୍ୟ ୭ ଜଣ ଛାତ୍ରଙ୍କୁ ପାଠପଢାରୁ ବଞ୍ଚିତ କରାଯାଇଥିଲା । ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କହ୍ନେୟା କୁମାରଙ୍କୁ ବିରୋଧ କରିଥିଲା।
ଜାନୁୟାରୀ 1987 ରେ ବିହାରର, ବେଗୁସରାଇ ଜିଲ୍ଲାରେ କହ୍ନେୟା କୁମାରଙ୍କ ଜନ୍ମ । କହ୍ନେୟାଙ୍କ ଗାଁ ଟେଗଡା ବିଧାନସଭା ନିର୍ବାଚନମଣ୍ଡଳୀର ଏକ ଅଂଶ, ଯାହାକୁ ଏକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ଗଡ଼ ବୋଲି କୁହାଯାଏ । ତାଙ୍କ ପରିବାର ସଦସ୍ୟମାନେ ପାରମ୍ପାରିକ ଭାବରେ ସିପିଆଇ ସମର୍ଥକ ରହିଆସିଛନ୍ତି।
ପାଟନାରେ ପଢୁଥିବା ସମୟରେ କହ୍ନେୟା ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନର ସଦସ୍ୟ ହୋଇଥିଲେ । ପାଟନାରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ଆଫ୍ରିକୀୟ ଷ୍ଟଡିଜରେ ପିଏଚଡି ପାଇଁ ଜେଏନୟୁ (ଦିଲ୍ଲୀ)ରେ ଆଡମିଶନ ନେଇଥିଲେ । 2015ରେ, କହ୍ନେୟା କୁମାର ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନର ପ୍ରଥମ ସଦସ୍ୟ ହୋଇଥିଲେ ଯିଏକି ଜେଏନୟୁରେ ଛାତ୍ର ସଂଗଠନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ଏହି ପଦ ପାଇଁ AISA, ABVP, SFI ଏବଂ NSUIର ସଦସ୍ୟମାନଙ୍କୁ ପରାସ୍ତ କରିଥିଲେ । କହ୍ନେୟା କୁମାରଙ୍କ ବନ୍ଧୁ ଏବଂ ଅନ୍ୟମାନେ ତାଙ୍କୁ ଜଣେ ଉତ୍ତମ ବକ୍ତା ବୋଲି ବିବେଚନା କରନ୍ତି ।