ନୂଆଦିଲ୍ଲୀ: କୋଭିଡ ବରୋଧୀ ଲଢେଇର ପ୍ରଥମ ପଦକ୍ଷେପ ‘ଜନତା କର୍ଫ୍ୟୁ’କୁ ଆଜି ପୂରଣ ହୋଇଛି ୨ ବର୍ଷ । ଆଜିକୁ ଠିକ ୨ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସମଗ୍ର ଦେଶ ପାଳିଥିଲା ଜନତା କର୍ଫ୍ୟୁ । କୋଭିଡ ସଂକ୍ରମଣର ପ୍ରାରମ୍ଭିକ ସମୟରେ ସାରା ଦେଶ ଅଜଣା ଭୟରେ ଥିବାବେଳେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ୧୪ ଘଣ୍ଟିଆ ଦେଶବ୍ୟାପୀ କର୍ଫ୍ୟୁ ପାଳନ ପାଇଁ ଆହ୍ବନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ମିଳିଥିଲା ଅଦ୍ଭୂତପୂର୍ବ ସମର୍ଥନ:-
ଗାଁଠୁ ସହର ହେଉ କି ମହାନଗର ସବୁଠି ଦେଖିବାକୁ ମିଳିଥିଲା ପ୍ରଭାବ । ଦେଶବ୍ୟାପୀ ମିଳିଥିଲା ଅଦ୍ଭୁତପୂର୍ବ ସହଯୋଗ । ସହର ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବା ରାଜପଥ ସବୁ ହୋଇଯାଇଥିଲା ଜନଶୂନ୍ୟ । ସ୍ବଇଚ୍ଛାରେ ସମସ୍ତେ ଘରେ ରହି କୋଭିଡ ବିରୋଧୀ ଲଢେଇକୁ ବଳ ଯୋଗାଇଥିଲେ । ଉଦ୍ଦେଶ୍ୟ ଥିଲା ସାଧାରଣ ଜୀବନ ଯାତ୍ରାରେ ସାମାଜିକ ଦୂରତା ବଜାୟ ରଖି କୋଭିଡ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା । ଭାରତ ପରି ଏକ ବିଶାଳ ତଥା ଜନବହୁଳ ଦେଶରେ ଏପରି ଅଦ୍ଭୁତପୂର୍ବ ସହଯୋଗ ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା ।
କେମିତି ଥିଲା ଜନତା କର୍ଫ୍ୟୁ:-
2020 ମାର୍ଚ୍ଚ ୨୨ ତାରିଖ ସକାଳ ୭ଟାରୁ ରାତି ୯ ଯାଏ ୧୪ଘଣ୍ଟା ପର୍ଯ୍ୟନ୍ତ ନିଜ ଘରେ ରହି କର୍ଫ୍ୟୁ ପାଳନ କରିବାକୁ ଘୋଷଣା କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶରେ ସକାଳୁ ଦେଖିବାକୁ ମିଳେ ତାର ପ୍ରଭାବ । ସାରା ଦିନେ ଲୋକେ ଘରେ ରହିବା ପରେ ସନ୍ଧ୍ୟାରେ ନିଜ ଘରେ ରହି ଘଣ୍ଟ, ଥାଳି ବଜାଇ କୋଭିଡ ବିରୋଧରେ ଲଢୁଥିବା ସମ୍ମୁଖ ଯୋଦ୍ଧାଙ୍କ ଅବଦାନକୁ ମନେପକାଇବା ଓ ତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ।
କେବଳ ଜରୁରୀକାଳୀନ ସେବା ଯଥା ସ୍ବାସ୍ଥ୍ୟସେବା ଓ ସାଧାରଣ ପରିବହନକୁ ଛାଡିଦେଲେ ଆଉ ସମସ୍ତ କାର୍ଯ୍ୟକଳାପକୁ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଜନ ଅଭିଯାନରେ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇ ଏହାକୁ ସଫଳତାର ସହ ଶେଷ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଦେଶବାସୀଙ୍କ ପକ୍ଷରୁ ମିଳିଥିବା ଅଦ୍ଭୂତପୂର୍ବ ଗ୍ରହଣୀୟତା ।
ସନ୍ଧ୍ୟାରେ ବାଜିଥିଲା ଘଣ୍ଟ, ତାଳି ଓ ଥାଳି :-
କୋଭିଡର ସଂକ୍ରମଣର ଭୟାବହତା ନେଇ ସାରା ବିଶ୍ବରେ ଲାଗିରହିଥିଲା ଆଶଙ୍କା । ସେତେବେଳେ ବ୍ୟବସ୍ଥାରେ ଥିବା ଜରୁରୀ ବିଭାଗ ଯଥା ପୋଲିସ, ପ୍ରଶାସନିକ ଅଧିକାରୀ, ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମାଜରେ ଆଗ ଧାଡିର ଯୋଦ୍ଧା ସାଜିଥିଲେ । ସଠିକ ସୂଚନା ଆଦାନ ପ୍ରଦାନ ହେଉ କି କୋଭିଡ ବିରୋଧୀ ଲଢେଇର ସୁବ୍ୟବସ୍ଥାରେ ଏମାନେ ହିଁ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ସେମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା ପାଇଁ ସନ୍ଧ୍ୟାରେ ଘରେ ରହି ଘଣ୍ଟ ଓ ତାଳି ଓ ଥାଳି ବଜାଇଥିଲେ ଦେଶବାସୀ ।
ଆଜିବି ଯାଇନି କୋଭିଡ ଭୟ:-
କୋଭିଡ ସଂକ୍ରମଣ ଆରମ୍ଭକୁ ୨ବର୍ଷରୁ ଅଧିକ ସମୟ ବିତିଛି । କୋଭିଡର ଏକାଧିକ ଲହର ମଧ୍ୟ ଦେଖିସାରିଲାଣି ସାରା ବିଶ୍ବ । କୋଭିଡର ଭୟାବହତା ଓ କରୁଣତା ମଧ୍ୟ ସମାଜରେ ସ୍ପଷ୍ଟ ଚିତ୍ର ଛାଡିଯାଇଛି । ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ବଦଳିଛି , ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ବଦଳିଛି । ନୂଆ ଗବେଷଣା, ସଠିକ ସୂଚନା ଓ ସଠିକ ମୁକାବିଲା ରଣନୀତି କୋଭିଡ ବିରୋଧୀ ଲଢେଇକୁ ନୂଆ ଦିଗ ମଧ୍ୟ ଦେଇଛି । କିନ୍ତୁ ଏବେ କୋଭିଡର ଭୟ ମାନବ ସଭ୍ୟତାଠୁ ଦୂରରେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ