ହାଇଦ୍ରାବାଦ: ପଡୋଶୀ ବାଂଲାଦେଶର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ‘ଆଓ୍ବାମି ଲିଗ’ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି । ସେଖ ହସିନା 5ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି । ନିର୍ବାଚନରେ ବହୁମତ ହାସଲ କରିବା ପରେ ଢାକାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ହସିନାଙ୍କୁ ସାକ୍ଷାତ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ହସିନାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଚଳିତ ନିର୍ବାଚନରେ ହସିନା ବାଂଲାଦେଶର ଗୋପାଳଗଞ୍ଜ-3 ଆସନରୁ ନିର୍ବାଚନ ଲଢିଥିଲେ । ସେ ମୋଟ 249,962 ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଏମଡି.ଅତିକୁର ରେହମାନ ମାତ୍ର 6,999 ଭୋଟ ହାସଲ କରିବାରେ ସଫଳ ହୋଇଛନ୍ତି । ହସିନାଙ୍କ ଦଳ ‘ଆଓ୍ବାମି ଲିଗ’ ମଧ୍ୟ ମୋଟ 223 ଆସନରେ ବିଜୟ ଲାଭ କରିଛି । ହସିନା 8 ଥର ସାଂସଦ ଓ 5 ଥର ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବାକୁ ଯାଉଛନ୍ତି । 300 ଆସନ ବିଶିଷ୍ଟ ବାଂଲାଦେଶ ସଂସଦରେ 299 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ 223 ଆସନ ହସିନାଙ୍କ ‘ଆଓ୍ବାମି ଲିଗ୍’ ଖାତାକୁ ଯାଇଛି । ଜଣେ ନାମାଙ୍କିତ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ଗୋଟିଏ ଆସନରେ ନିର୍ବାଚନ ସ୍ଥଗିତ ରହିଛି ।
ଏହା ମଧ୍ୟ ପଢନ୍ତୁ :- ବାଂଲାଦେଶ ନିର୍ବାଚନରେ ଶେଖ ହସିନାଙ୍କ ବମ୍ପର ବିଜୟ, ପଞ୍ଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ
ତେବେ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବାଂଲାଦେଶର ଅନ୍ୟତମ ରାଜନୈତିକ ଦଳ ‘ଜାତୀୟ ପାର୍ଟି’ (ଜାପା-ଇରସଦ) 11 ଆସନରେ ବିଜୟୀ ହୋଇଛି । ବାଂଲାଦେଶ କଲ୍ୟାଣ ପାର୍ଟି ଗୋଟିଏ ଓ ବିଭିନ୍ନ ଆସନରେ ମୋଟ 62 ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ଜାତୀୟ ସମାଜତାନ୍ତ୍ରିକ ଦଳ ଓ ଓ୍ବାର୍କର ପାର୍ଟି ମଧ୍ୟ ଗୋଟିଏ ଲେଖାଁଏ ଆସନରେ ସୀମିତ ରହିଛନ୍ତି । ବାଂଲାଦେଶର ମୁଖ୍ୟ ବିରୋଧୀ ରାଜନୈତିକ ଦଳ ବାଂଲାଦେଶ ନ୍ୟାସନାଲ ପାର୍ଟି (BNP) ଓ ଜମାତି-ଏ-ଇସଲାମି ପରି ବିରୋଧୀ ଦଳ ଚଳିତ ସାଧାରଣ ନିର୍ବାଚନକୁ ବର୍ଜନ କରିବା ସହ ଦେଶବ୍ୟାପୀ ଧାରଣା ଡାକରା ଦେଇଛନ୍ତି । ଏହି ନିର୍ବାଚନ ନିରପେକ୍ଷତାର ସହ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । ହେଲେ ସ୍ବତନ୍ତ୍ର ବାଂଲାଦେଶର ପ୍ରତିଷ୍ଠାତା ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମୁଜିବୁର ରେହେମାନଙ୍କ ଝିଅ ହସିନା 5 ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ