ହାଇଦ୍ରାବାଦ: ପତ୍ନୀର ଗୋପନୀୟ ଭିଡିଓ ମୋବାଇଲରେ ରେକର୍ଡ କରି ବ୍ଲାକମେଲ କଲା ସ୍ବାମୀ (Husband forced Wife to sleep with friends) । ନିଜ ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କରିବା ସହ ଏପରି ନକଲେ ଭିଡିଓ ଭାଇରାଲ କରିଦେବା ପରି ଧମକ ସହ ନିର୍ଯାତନା ମଧ୍ୟ ଦେଲା । ଫଳରେ ବାଧ୍ୟ ହୋଇ ସ୍ବାମୀର ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ ହେଲେ ପତ୍ନୀ । ଏପରି ଏକ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି । ପତ୍ନୀଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଥାନିସନ୍ଦ୍ରା ଏରିଆରେ ରହୁଥିବା ଜଣେ 34 ବର୍ଷୀୟା ମହିଳା ନିଜ ସ୍ବାମୀ 36 ବର୍ଷୀୟ ଜନ ନାମକ ଯୁବକଙ୍କ ନାମରେ ଏପରି ଅଭିଯୋଗ ଆଣି ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ମହିଳାଙ୍କ ଏତଲା ଅନୁସାରେ, ଉଭୟଙ୍କ ବିବାହ 2011ରେ ହୋଇଥିଲା । ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ବିବାହ ପରେ ଜନ ସର୍ବଦା ମଦ୍ୟପାନ କରି ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲା । ନିକଟରେ କିଛି ଗୋପନୀୟ ଭିଡିଓ ମୋବାଇଲରେ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିବା ସହ ଘରକୁ କିଛି ବନ୍ଧୁଙ୍କୁ ଡାକି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ ମଧ୍ୟ କରୁଥିଲା ।
ଏପରି ନକଲେ ସେ ଗୋପନୀୟ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲା । ଫଳରେ ବାଧ୍ୟ ହୋଇ ତାର 2ଜଣ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀଜଣଙ୍କ ବାଧ୍ୟ ହୋଇଥିଲେ । ଏପରି କ୍ରମାଗତ ବ୍ଲାକମେଲ ଫଳରେ ସମ୍ପୃକ୍ତ ମହିଳାଜଣଙ୍କ ସ୍ବାମୀଙ୍କ ବନ୍ଧୁଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିବା ଏତଲାରେ ଦର୍ଶାଇଛନ୍ତି ।
ଏଥିରେ ମଧ୍ୟ ମଦ୍ୟପ ସ୍ବାମୀ ସନ୍ତୁଷ୍ଟ ହୋଇନଥିଲା । ପତ୍ନୀର ସାନଭଭଣୀଙ୍କୁ ମଧ୍ୟ ଏପରି କରିବାକୁ କହିବା ପାଇଁ ପତ୍ନୀ ଉପରେ ଚାପ ପକାଇଥିଲା । ଏଥିରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଛାଡପତ୍ର ଚାହିଁଥିଲେ । ହେଲେ ଗୋପନୀୟ ଭିଡିଓ ଓ ଫଟୋ ଭାଇରାଲ ହେବାର ଭୟରେ ସେ ଛାଡପତ୍ର ପାଇଁ ମଧ୍ୟ ଆଗେଇ ପାରିନଥିଲେ । ଏବେ ସେ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି । ଛାଡପତ୍ର ସହ ନିଜ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ