ଶିମଲା: ହିମାଚଳ ପ୍ରଦେଶ ସ୍ପିତି ଘାଟିର ମୁଖ୍ୟାଳୟ କାଜାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାହାଡ ଛାତିରେ ଏକ ଜିମ୍ ନିର୍ମାଣ ହୋଇଛି । ଖୁବଶୀଘ୍ର ବୈଷୟିକ ଶିକ୍ଷାମନ୍ତ୍ରୀ ରାମଲାଲ ମାରକଣ୍ଡ(Ramlal Markanda) ଏହାର ଉଦଘାଟନ କରିବେ । ତେବେ ଏହି ଜିମ୍ଟି ଏତେ ଖାସ୍ କାରଣ, ଏହା ୧୨ ହଜାର ଫୁଟ ଉଚ୍ଚରେ ପ୍ରତିଷ୍ଠା କରାଯାଇଛି । ଯାହାକି ବିଶ୍ବର ସବୁଠୁ ଉଚ୍ଚ ସ୍ଥାନରେ ନିର୍ମିତ ହୋଇଥିବା (Highest Gym in the world) ଦାବି କରାଯାଉଛି ।
ରାଜ୍ୟ ସରକାର କାଜା ସ୍ପୋଟ୍ସ କମ୍ଲେକ୍ସରେ ୧୦ ଲକ୍ଷ ଅତ୍ୟାଧୁନିକ ଉପକରଣ ସହ ଜିମ୍ ନିର୍ମାଣ କରିଛନ୍ତି । ଏହାର ଉଦ୍ଦେଶ୍ୟ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ଫିଟ୍ନେସକୁ ପ୍ରୋତ୍ସାହନ ଦେବା ଏବଂ ସୁସ୍ଥ ରଖିବା । ଏନେଇ ମନ୍ତ୍ରୀ ରାମଲାଲ ମାରକଣ୍ଡ କହିଛନ୍ତି, ''ସ୍ପିତି ଘାଟିରେ ଏହି ଜିମ୍ ଖୋଲିବା ଦ୍ବାରା ଯୁବଗୋଷ୍ଠୀଙ୍କୁ ଅଧିକ ଫାଇଦା ମିଳିବ । ସେମାନେ ଇଲେକ୍ଟ୍ରୋନିକ ଗଜେଟ ଏବଂ ନିଶା ସେବନରୁ ଦୂରେଇ ରହି ଶାରିରୀକ ଗତିବିଧିରେ ସମୟ ବିତାଇ ପାରିବେ । ଏହାବ୍ୟତୀତ ଜିମ୍ଟି ୧୨ ହଜାର ଫୁଟ୍ ଉଚ୍ଚରେ ତିଆରି ହୋଇଥିବାରୁ ଏହା ପର୍ଯ୍ୟଟକଙ୍କ ମଧ୍ୟ ଆକୃଷ୍ଟ କରିପାରିବ ।''
ବିଗତ କିଛି ବର୍ଷରେ ହିମାଚଳ ପ୍ରଦେଶର ଆଦିବାସୀ ଆଧ୍ୟୁଷିତ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶ ହୋଇଛି । ତେଣୁ ଲୋକମାନଙ୍କ ଶାରିରୀକ ଗତିବିଧି(physical activities) କମୁଛି । ଏହାଦ୍ବାରା ଲୋକେ ହୃଦ୍ରୋଗ, ମଧୁମେହ, ରକ୍ତଚାପ ଭଳି ରୋଗରେ ପୀଡିତ ହେଉଛନ୍ତି । ଏହି ଦୃଷ୍ଟିରୁ ଜିମ୍ଟି ଲୋକଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରିମଧ୍ୟ ଜଣାଇଛନ୍ତି ଯେ, କାଜା ସ୍ଥିତ ଏହି ଜିମ୍ ଦୁନିଆର ସବୁଠୁ ଅଧିକ ଉଚ୍ଚତାରେ ରହିଛି । ଏହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ (Guinness Book of World Records) ସାମିଲ କରିବାରୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।