କାଠମାଣ୍ଡୁ: ନେପାଳୀ ଆର୍ମିଙ୍କୁ ମେଡିକାଲ ସରଞ୍ଜାମ ଓ ମେଡିସିନ ଭେଟି ଦେବେ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ତାଙ୍କ ତିନି ଦିନିଆ ନେପାଳ ଗସ୍ତରେ ସେ ନେପାଳୀ ଆର୍ମୀଙ୍କୁ ଏହି ଉପହାର ଦେବେ ବୋଲି ଅଧିକାରୀମାନେ କହିଛନ୍ତି ।
ଜେନେରାଲ ନରୱଣେ ବୁଧବାର ଅପରାହ୍ନରେ କାଠମାଣ୍ଡୁରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଗୁରୁବାର ସେନା ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନେପାଲ ଆର୍ମିଙ୍କ ଦ୍ବାରା ପରିଚାଳନା କରାଯାଉଥିବା ମାବାଇଲ ଫିଲ୍ଡ ହସପିଟାଲକୁ ନରୱାଣେ ଆମ୍ବୁଲାନ୍ସ ଓ ମେଡିକାଲ ଉପକରଣ ପ୍ରଦାନ କରିବେ । ନେପାଳରେ ବଢୁଥିବା କୋଭିଡ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଶେଷ କରି ଏକି ଚିକିତ୍ସା ସହାୟତା ଦିଆଯିବ ।
ଏହାପରେ ଜେନେରାଲ ନରୱାଣେଙ୍କୁ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ଦ୍ବାରା ନେପାଳ ସେନାର ସମ୍ମାନଜନକ ଜେନେରାଲ ପଦବୀ ପ୍ରଦାନ କରାଯିବ । ଏହାସହ ଜେନେରାଲ ନରୱଣେ ମଧ୍ୟ ଆର୍ମି ପାଭିଲିୟନରେ ଥିବା ଶହୀଦଙ୍କ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାସହ ଆର୍ମି ମୁଖ୍ୟାଳୟରେ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ସହ ନେପାଳୀ କାଉଣ୍ଟରପାର୍ଟ ପୂର୍ଣ୍ଣ ଚନ୍ଦ୍ର ଥାପାଙ୍କ ସହ ବୈଠକ କରିବେ । 1950 ମସିହାରୁ ଭାରତ ଏବଂ ନେପାଳ ପରସ୍ପରର ଆର୍ମି ସେନା ମୁଖ୍ୟଙ୍କୁ ସର୍ବୋଚ୍ଚ ପଦବୀ ପ୍ରଦାନ କରିଥାନ୍ତି । ଭାରତୀୟ ସେନା ମୁଖ୍ୟ ଜେନେରାଲ କେ.ଏମ କାରିଆପା ନେପାଳ ଗସ୍ତ କରିବା ପରଠାରୁ ଏହି ପରମ୍ପରା ଜାରି ରହିଛି ।