ନୂଆଦିଲ୍ଲୀ: ଆଜି (ଶନିବାର) ୪ଟି ରାଜ୍ୟରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ଆସିବ । ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗଣତି ହେବ । ତେବେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ଭୋଟ ଗଣତି ମଧ୍ୟ ଅନୁଷ୍ଠିତ ହେବ । ଏଥିସହ ଛତିଶଗଡର ଖାଇରାଗଡ, ବିହାରର ବୋଚାହାନ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଭୋଟ ଗଣତି ମଧ୍ୟ କରାଯିବ ।
ସେହିପରି ବିଜେପି ପାଇଁ ଆସନସୋଲ ଆସନ ବଜାୟ ରଖିବା ସମସ୍ତ ପ୍ରୟାସ କରିଥିବା ବେଳେ ଟିଏମସିର ଗଡ଼ ବାଲିଗଞ୍ଜ ନିର୍ବାଚନ ମଣ୍ଡଳୀରେ ବିଜେପି ଜିତିବାକୁ ଚ୍ୟାଲେଞ୍ଜିଂ ହେବ ବୋଲି ଆକଳନ କରାଯାଉଛି । ସେପଟେ ଶାସକ ଟିଏମସି ପାଇଁ ପ୍ରଥମ ଥର ପାଇଁ ଆସନସୋଲ ନିର୍ବାଚନ ମଣ୍ଡଳୀ ଜିତିବାକୁ ଲକ୍ଷ୍ୟ ରଖିବା ସହ ସମସ୍ତ କଳବଳ କୌଶଳ ଲଗାଇ ଦେଇଛି । ତେବେ ଗତ ୧୨ ତାରିଖରେ ଏହି ୫ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ସେହିଭଳି ଆସନସୋଲ ଆସନରେ ଉପ-ନିର୍ବାଚନରେ ୬୪.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲିଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୧ ପ୍ରତିଶତ ମତଦାନ ହୋଇଥିଲା । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ୨୦୧୪ ଓ୨୦୧୯ ଲୋକସଭା ନିର୍ବାଚନରେ ବିଜେପିରୁ ସେ ଆସନସୋଲ ଆସନରୁ ଜିତିଥିଲେ । ମାତ୍ର ବାବୁଲ ସୁପ୍ରିଓ ସାଂସଦ ପଦରୁ ୨୦୨୧ରେ ଇସ୍ତଫା ଦେବା ପରେ ଆସନସୋଲ ଆସନ ଖାଲି ପଡିଥିଲା ।
ଏହା ବି ପଢନ୍ତୁ- By Elections 2022: ଆଜି 4 ରାଜ୍ୟରେ ଉପନିର୍ବାଚନ, ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା
ସେହିପରି ଗତ ବର୍ଷ ନଭେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ନେତା ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ ପରେ ଖାଲି ପଡିଥିବା କୋଲକାତାର ବାଲିଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଖାଲି ପଡିଥିଲା । ଏପଟେ ବିହାରର ମୁଜାଫରପୁରର ବୋଚାହାନ ବିଧାନସଭା ଆସନରେ ବିଧାୟକ ଥିବା ମୁସାଫିର ପାସୱାନଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।
ସେହିଭଳି ଛତିଶଗଡର ଖଇରାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନରେ ଉପନିର୍ବାଚନ ପାଇଁ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ କଡା ଟକ୍କର ହୋଇଛି । ଏହି ଉପନିର୍ବାଚନରେ ଏହି ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ତେବେ ଏଠାରେ ଗତ ନଭେମ୍ବରରେ ଜେସିସି (ଜେ) ବିଧାୟକ ତଥା ପୂର୍ବତନ ସାଂସଦ ଦେବବ୍ରତ ସିଂଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।
ଅନ୍ୟପଟେ ଡିସେମ୍ବର ୨୦୨୧ରେ କଂଗ୍ରେସର ଚନ୍ଦ୍ରକାନ୍ତ କଦମଙ୍କ ମୃତ୍ୟୁ ପରେ କୋହ୍ଲାପୁର ଉତ୍ତର ବିଧାନସଭା ଆସନ ଖାଲି ପଡିଥିଲା । ତେବେ କଂଗ୍ରେସ କଦମଙ୍କ ପତ୍ନୀ ଜୟଶ୍ରୀଙ୍କୁ ପ୍ରାର୍ଥିନୀ କରିଥିବା ବେଳେ ବିଜେପି ଦଳର ମୁଖପାତ୍ର ଧନଞ୍ଜୟ ମହାଦିକଙ୍କ ସମ୍ପର୍କୀୟ ସତ୍ୟଜିତ୍ ଶିବାଜୀ କଦମଙ୍କୁ ପ୍ରାର୍ଥୀ କରିଛି । ତେବେ ଏହି ସବୁ ଆସନରେ ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।