ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ ଭାନୁପ ଅଞ୍ଚଳରେ ଥିବା ଏକ ଘରୋଇ କୋଭିଡ ହସ୍ପିଟାଲରେ ଶୁକ୍ରବାର ବଡି ଭୋରରୁ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ପ୍ରାୟ 76 ଜଣ କୋଭିଡ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ ବୋଲି ଡିସିପି କାଦମ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏକ ସପିଂ ମଲରେ ତୃତୀୟ ମହଲାରେ ଏହି ଘରୋଇ ହସ୍ପିଟାଲ ରହିଛି । ତେବେ ଏଠାରେ କିଭଳି ନିଆଁ ଲାଗିଲା ସେ ସମ୍ପର୍କରେ ପ୍ରକୃତ କାରଣ ଜଣାପଡିନାହିଁ । ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ପ୍ରାୟ 22ଟି ଦମକଳ ଗାଡି ପହଞ୍ଚିଥିଲା । ଏହି ଅଘଟଣ ଘଟିବା ସମୟରେ ହସ୍ପିଟାଲରେ ପ୍ରାୟ 76 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ସେପଟେ ଜରୁରୀକାଳୀନ ଭିତ୍ତିରେ ହସ୍ପିଟାଲରୁ 70 ଜଣଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ 6 ଜଣଙ୍କୁ ଭେଣ୍ଟିଲେଟରେ ରଖାଯାଇଛି ବୋଲି ଡିସିପି କାଦମ କହିଛନ୍ତି ।
ତେବେ ଏକ ସପିଂ ମଲରେ ହସ୍ପିଟାଲ ରହିଥିବା ପ୍ରଥମ ଥର ଦେଖିଥିବା ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ତଦନ୍ତ ଜାରି ରହିଛି । ତେବେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମେୟର ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ