ଡେରାଡୁନ: ଗୌରୁକୁଣ୍ଡ ଠାରେ ହୋଇଥିବା ଭୂସ୍ଖଳନକୁ ଏ ମଧ୍ୟରେ 6 ଦିନ ବିତିଲାଣି । ତଥାପି ଏ ପର୍ଯ୍ୟନ୍ତ ମିଳୁ ପାରୁନି ନିଖୋଜଙ୍କ ପତ୍ତା । 20 ଜଣଙ୍କ କୌଣସି ଖୋଜ ଖବର ନାହିଁ । ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଲାଗି ପଡିଛନ୍ତି ଉଦ୍ଧାରକାରୀ ଦଳ । ତଥାପି ଏ ପର୍ଯ୍ୟନ୍ତ ସେମାନଙ୍କ କୌଣସି ଖବର ମିଳିପାରିନାହିଁ । ଏପରି ପରିସ୍ଥିତିରେ ନିଖୋଜ ଲୋକଙ୍କ ସନ୍ଧାନ କରିବା ରାଜ୍ୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଉଦ୍ଧାରକାରୀ ଦଳ ଲଗାତାର ରୁଦ୍ର ପ୍ରୟାଗ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଗୌରୀକୁଣ୍ଡ ଠାରେ ୧୨୫ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ ଟିମ ସହ ଏନଡିଆରଏଫ ଟିମ ମଧ୍ୟ ନିୟୋଜିତ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କର ସମ୍ପର୍କୀୟମାନେ ଆସି ଗୌରୀକୁଣ୍ଡ ନିକଟରେ ପହଞ୍ଚିଛନ୍ତି । ସେପଟେ ଏନଡିଆରଏଫ,ଏସଡିଆରଏଫ ଏବଂ ଡ୍ରୋନ ଏକ୍ସପର୍ଟମାନେ ଲଗାତାର ୫ ଦିନ ଧରି ପୁରା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଉଦ୍ଧାରକାରୀ ଦଳକୁ ଏ ପର୍ଯ୍ୟନ୍ତ କେହି ମୃତ କିମ୍ବା ଜୀବିତ ଭାବେ ଉଦ୍ଧାର ହୋଇନାହାନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: 3 ମୃତ, 17 ରୁ ଅଧିକ ନିଖୋଜ
ଅନ୍ୟପକ୍ଷେ ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ଉଦ୍ଧାରକାରୀ ଦଳ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି । ବର୍ଷା କାରଣରୁ ମନ୍ଦାକିନୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏହି ପରିସ୍ଥିତିରେ ଉଦ୍ଧାରକାରୀ ଦଳ ପାଣି ଭିତରକୁ ଯିବା କିମ୍ବା ଭୂସ୍ଖଳନ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ରୁଦ୍ରପ୍ରୟାଗ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂ କହିଛନ୍ତି, ‘ନିଖୋଜଙ୍କୁ ଖୋଜିବା ପାଇଁ ଟିମ୍ ପୁରା ଲାଗି ପଡିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜିବାରେ ଲାଗିଛନ୍ତି । ଗୌରୀକୁଣ୍ଡଠୁ ଆରମ୍ଭ କରି ଶ୍ରୀନଗର ଧାରୀ ଦେବୀ ମନ୍ଦିର ମନ୍ଦିର ପର୍ଯ୍ୟନ୍ତ ଖୋଜା ଖୋଜି କରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନାହିଁ । ହୋଇପାରେ ସେମାନେ ମାଟି ତଳେ ଦବି ହୋଇ ରହିପାରନ୍ତି । ’
ସୂଚନା ଥାଉକି, ଗୌରୀକୁଣ୍ଡ ଭୁସ୍ଖଳନରେ ତିନୋଟି ଦୋକାନ ଓ କିଛି ହୋଟେଲ ମାଟିରେ ମିଶିଯାଇଛି । ସେହି ସମୟରେ ଦୋକାନରେ ଅନେକ ଲୋକ ଶୋଇଥିଲେ । ସେମାନଙ୍କର କୌଣସି ପତ୍ତାମିଳୁନି । ଗତ ଗୁରୁବାର ବିଳମ୍ବିତ ରାତିରେ ପାହାଡର ଗୋଟିଏ ଭାଗରେ ବଜ୍ରପାତ ଯୋଗୁଁ ପାହାଡରୁ ପଥର ଗୁଡିକ ଖସି ଦୋକାନ ଓ ହୋଟେଲ ଉପରେ ଅଜାଡି ହୋଇପଡିଥିବା ଫଳରେ ଏଭଳି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ