ଶ୍ରୀନଗର: ଜମ୍ମୁ କାଶ୍ମୀରର ୧୧ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଚଢାଉ କରିଛି । ନକଲି ବନ୍ଧୁକ ଲାଇସେନ୍ସ କାରବାର ଘଟଣାରେ ଇଡି ଚଢାଉ କରିଥିବାବେଳେ କେତେକ ଅଜ୍ଞାତଙ୍କ ଆକାଉଣ୍ଟକୁ 2.78 ଲକ୍ଷ ଟଙ୍କା ପଠାଯାଇଥିବା ସୂଚନା ମିଳିଛି । ଗୁରବାର ସନ୍ଧ୍ୟା ପର୍ଯ୍ୟନ୍ତ ED ପକ୍ଷରୁ ଚଢାଉ ଜାରି ରହିଥିଲା ।
ଚଣ୍ଡିଗଡ, ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର ଏକ ଟିମ କାର୍ଯ୍ୟରତ ଆଇଏଏସ୍ ଅଧିକାରୀ ତଥା ଜାମ୍ମୁ କାଶ୍ମୀରର ପ୍ରଶାସନିକ ସେବା (JKAS) ଅଧିକାରୀଙ୍କ ସମେତ ୧୧ଟି ସ୍ଥାନରେ ଚଢାଉ କରିଛି । ଏହି ଅଧିକାରୀ ଜଣକ 2013 ରୁ 2016 ମଧ୍ୟରେ ବିଭିନ୍ନ ଜିଲ୍ଲାର ଡେପୁଟି କମିଶନର (DC) ଏବଂ ଅତିରିକ୍ତ ଡେପୁଟି କମିଶନର (ADCS) ଭାବରେ ଦାୟିତ୍ବ ତୁଲାଇଥିଲେ । ଏହି ଘଟଣାରେ ଜଡିତ ଥିବା ପଶ୍ଚିମବଙ୍ଗର କିଛି ଲୋକଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଇଡ଼ିର କର୍ମକର୍ତ୍ତାମାନେ ଚଢାଉ କରି ଯାଞ୍ଚ କରିଛନ୍ତି ।
ପୂର୍ବତନ ଡେପୁଟି କମିଶନର ରାଜୀବ ରଞ୍ଜନ, ଇତରାତ ହୁସେନ ପୂର୍ବତନ ସେନା ଅଧିକାରୀ (JKAS), ଅତିରିକ୍ତ ଡେପୁଟି କମିଶନର (ADC) ରବିନ୍ଦ୍ର କୁମାର ଭଟ୍ଟଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଇଡ଼ି ଚଢାଉ କରିଥିଲା । ଯେଉଁମାନଙ୍କୁ କି ପୂର୍ବରୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଥିଲା । କୁପୱାଡା ଜିଲ୍ଲାର ଡିସି କାର୍ଯ୍ୟାଳୟର କିରାଣୀ ତାରିକ ଆଥର ଏବଂ ଗଜନ ସିଂଙ୍କୁ ମଧ୍ୟ ଇଡି ଜେରା କରିଥିବା ନେଇ ସୂଚନା ରହିଛି ।
ଏହା ସହ ୬ ଜଣ ଅସ୍ତ୍ରଶସ୍ତ୍ର ଡିଲରଙ୍କ ବାସଭବନରେ ମଧ୍ୟ ଇଡି ଚଢାଉ କରିଥିଲା । ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ ଏହି ବେଆଇନ ବନ୍ଧୁକ କାରବାରରେ ଜଡିତ ଥିବା ଜଣାପଡିଛି । ସିବିଆଇ ଏହି ମାମଲାର ତଦନ୍ତ କରିଥିବା ବେଳେ ଅର୍ଥ ହେରଫେର ତଥା କାରବାରର ଅନ୍ୟାନ୍ୟ ଆର୍ଥିକ ଦିଗ ଯାଞ୍ଚ ପାଇଁ ଇଡି ଏହି ସ୍କାମରେ ପୃଥକ ମାମଲା ପଞ୍ଜିକରଣ କରିଛି।