କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ରାଜ୍ୟର ହଟ୍ସିଟ ନନ୍ଦିଗ୍ରାମରେ ଦେଖିବାକୁ ମିଳୁଛି ମହାସଂଗ୍ରାମ । ନନ୍ଦିଗ୍ରାମରେ ହେଭିୱେଟଙ୍କ ଜୋରଦାର ଟକ୍କର ଥିବାରୁ ଫୋକସରେ ରହିଛି ଏହି ବିଧାନସଭା ଆସନ ।
ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଗୁରୁବାର ନନ୍ଦିଗ୍ରାମରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିକୁ କରାଯାଇଥିଲା ଆକ୍ରମଣ । କେବଳ ଅଧିକାରୀ ନୁହେଁ, ସାମ୍ବାଦିକଙ୍କ ଗାଡି ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିପାରିନଥିଲା । ନନ୍ଦିଗ୍ରାମର 170 ନମ୍ବର ବୁଥ ନିକଟରେ ସାମ୍ବାଦିକଙ୍କ ଗାଡ଼ି ଉପରକୁ ପଥର ମାଡ କରାଯାଇଥିଲା । ତେବେ ଏହାକୁ ନେଇ ତୃଣମୂଳ କଂଗ୍ରେସକୁ ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିରୀହ ଲୋକଙ୍କ ଉପରକୁ ଫିଙ୍ଗାଯାଉଥିବା ପ୍ରତ୍ୟେକ ପଥର ଟିଏମସିର ଅରାଜକତା ଶାସନ ପାଇଁ ପ୍ରସ୍ଥାନ ପଥ ନିର୍ମାଣରେ ବ୍ୟବହୃତ ହେବ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହିଂସା ହିଁ କେବଳ ଏଥର ବିଜେପି ପାଇଁ ଜନସାଧାରଣଙ୍କ ସଂକଳ୍ପକୁ ସୁଦୃଢ କରିଛି ।
ଏହି ଘଟଣାକୁ ନେଇ ପୋଲିସ ଓ ସିଆରପିଏଫକୁ ଅବଗତ କରାଇଥିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । କିଛି ଅସାମାଜିକ ବ୍ୟକ୍ତି ମତଦାନ କେନ୍ଦ୍ର ପାଖରେ ହଟ୍ଟଗୋଳ କରୁଥିଲେ। ମିଡିଆ ଏହି ଘଟଣାକୁ ନେଇ ପଚରାଉଚରା କରୁଥିବା ବେଳେ ତାଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଥିଲା ।
ନନ୍ଦିଗ୍ରାମରେ ବିଜେପିର ବିଜୟ ଧ୍ବଜା ଉଡାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ବ । ଏହି ଆସନକୁ ଦଖଲ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ କରିଥଇଲା ଦଳ । ନନ୍ଦିଗ୍ରାମରେ ନିଶ୍ଚିତ ବିଜୟ ସହ ବଙ୍ଗରେ ପରିବର୍ତ୍ତନର ସଙ୍କେତ ଦେଇଆସୁଛନ୍ତି ଧର୍ମେନ୍ଦ୍ର ।