ବେଙ୍ଗାଲୁରୁ: ରେଭେନ୍ୟୁ ଇଣ୍ଟେଲିଜେନ୍ସ କୁ ବଡ ସଫଳତା । ଦେଶର 2ଟି ବିମାନ ବନ୍ଦରରେ ଯାଞ୍ଚ ବେଳେ କୋଟି କୋଟି ଟଙ୍କାର ହୀରା ଓ ବିଦେଶୀ ମୁଦ୍ରା ଜବତ । ଏହି ଜବତ ହୀରା ଓ ବିଦେଶୀ ମୁଦ୍ରାର ଆନୁମାନିକ ମୂଲ୍ୟ ପାଖାପାଖି 13 କୋଟି ହେବ । ବେଙ୍ଗାଲୁରୁ ବିମାନ ବନ୍ଦର ଓ ହାଇଦ୍ରାବାଦ ବିମାନ ବନ୍ଦରରୁ ଦୁବାଇ ଯାଉଥିବା 4 ଜଣ ଯାତ୍ରୀଙ୍କ ଯାଞ୍ଚ ସମୟରେ ଏହି ହୀରା ଏବଂ ବିଦେଶୀ ମୁଦ୍ରା ଜବତ କରିଛି ଡିଆରଆଇ ।
ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ବିମାନ ବନ୍ଦର ଓ ହାଇଦ୍ରାବାଦ ବିମାନ ବନ୍ଦରରୁ ଦୁବାଇ ଯାଉଥିବା 4 ଜଣ ଯାତ୍ରୀଙ୍କ ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ହୀରା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 13 କୋଟିରୁ ଊର୍ଦ୍ଧ୍ୱ ହେବ । ଯାତ୍ରୀମାନଙ୍କ ପାଖରୁ ଉଭୟ ପ୍ରାକୃତିକ ଏବଂ ଲ୍ୟାବ ନିର୍ମିତ ହୀରା ମିଳିଛି । ବାଙ୍ଗାଲୋରରେ 7.77 କୋଟି ଟଙ୍କା ମୂଲ୍ୟର 8,053 କ୍ୟାରେଟ୍ ହୀରା ଏବଂ 4.62 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ହୋଇଛି । ଅନ୍ୟପଟେ ହାଇଦ୍ରାବାଦରୁ 6.03 କୋଟି ମୂଲ୍ୟର 5,569 କ୍ୟାରେଟ୍ ହୀରା ଏବଂ 9.83 ଲକ୍ଷ ବିଦେଶୀ ମୁଦ୍ରା ମିଳିଛି ।
ଏହାମଧ୍ୟ ପଢନ୍ତୁ.. ହାଇଦ୍ରାବାଦ ଏୟାରପୋର୍ଟରୁ 8 କେଜି ସୁନା ଜବତ, 4 ଗିରଫ
ଚାରିଜଣ ଯାତ୍ରୀ ବେଙ୍ଗାଲୋର ଏବଂ ହାଇଦ୍ରାବାଦ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କରିଥିଲେ । ଅଭିଯୁକ୍ତମାନେ ଚକୋଲେଟ୍ ପ୍ୟାକେଟରେ ସିଲ୍ କରି ହୀରା ନେଇ ଯାଉଥିବା ବେଳେ ଧରାପଡିଛନ୍ତି । ଡିଆରଆଇ ଅଧିକାରୀମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।
ଅନ୍ୟପଟେ ଅନ୍ତର୍ଜାତୀୟ ବିମାନବନ୍ଦରର ମଧ୍ୟ ବେଆଇନ ସୁନା ଚୋରା କାରବାର କରାଯାଉଥିବା ବେଳେ ସୁନା ଜବତ କରିବା ସହ 2 ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଜବତ ସୁନାର ମୂଲ୍ୟ ପାଖାପାଖି 50 ଲକ୍ଷ ଟଙ୍କା ହେବ । ଜାନୁଆରୀ 12 ତାରିଖ ଦିନ ଆବୁଧାବି ଓ ଦୁବାଇରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଆସି ମାଙ୍ଗୋଲୋର ବିମାନବନ୍ଦରେ ଆସିଥିବା 2 ଜଣଯାତ୍ରୀଙ୍କୁ ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଏହି ସୁନା ଜବତ ହୋଇଛି । ସେମାନେ ସୁନାକୁ ଏକ ଚକୋଲେଟ ପେଷ୍ଟ କରି ବ୍ୟାଗରେ ଲୁଚାଇ ରଖି ଆଣିଥିଲେ । ଉଭୟ ଯାତ୍ରୀଙ୍କ ଠାରୁ ମୋଟ 815 ଗ୍ରାମର 24 କ୍ୟାରେଟ ସୁନା ଜବତ ହୋଇଛି । ତେବେ ବିମାନବନ୍ଦରରେ କଡା ଯାଞ୍ଚ ସତ୍ତ୍ୱେ 2 ଯାତ୍ରୀ କିଭଳି ସୁନା ଆଣିଲେ ସେନେଇ ତଦନ୍ତ ଚଲାଇଛି କଷ୍ଟମ ବିଭାଗ । ଯାତ୍ରୀମାନଙ୍କୁ ଅଟକ ରଖିବା ସହ ସେମାନଙ୍କୁ ପଚରାଉଚରା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ