ମୁମ୍ବାଇ: ଆରବ ସାଗରରେ ଥିବା ଏକ ଜାହାଜରେ ହୃଦଘାତର ଶିକାର ହୋଇଥିବା ଜଣେ ଚୀନ ନାଗରିକଙ୍କୁ ଭାରତୀୟ କୋଷ୍ଟ ଗାର୍ଡ ସୁରକ୍ଷିତ ଉଦ୍ଧାର କରିଛି । ମୁମ୍ବାଇ ଉପକୂଳଠାରୁ ପ୍ରାୟ 200 କିମି ଦୂରରେ ଆରବ ସାଗରରେ ଏହି ବିଦେଶୀ ଜାହାଜଟି ଥିଲା । ଚୀନ ନାଗରିକ ଜଣକ ହୃଦଘାତର ଶିକାର ହୋଇଥିବା ଓ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ଥିବା ନେଇ ମୁମ୍ବାଇ କୋଷ୍ଟଗାର୍ଡକୁ ସମ୍ପୃକ୍ତ ଜାହାଜ ପକ୍ଷରୁ ଯୋଗାଯୋଗ କରାଯାଇଥିଲା ।
କୋଷ୍ଟଗାର୍ଡର ଧ୍ରୁବ ହେଲିକପ୍ଟର ଏହି ଅପରେସନରେ ନିୟୋଜିତ ହୋଇଥିଲା । ମୁମ୍ବାଇ ଉପକୂଳରୁ ପ୍ରାୟ 200 କିମି ଅନ୍ତର୍ଜାତୀୟ ଜଳରାଶିରେ ଥିବା ଏହି ବିଦେଶୀ ଜାହାଜରୁ ଚୀନ ନାଗରିକଙ୍କୁ ଉଦ୍ଧାର କରାଯାଇ ମୁମ୍ବାଇ ଅଣା ଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସାଧୀନ ଥିବା ବେଳେ ତ୍ବରିତ ଉଦ୍ଧାର ଅପରେସନ କାରଣରୁ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
ଭାରତୀୟ କୋଷ୍ଟଗାର୍ଡ ମୁମ୍ବାଇ ପକ୍ଷରୁ ଅପରେସନ ସମ୍ପର୍କରେ ସୂଚନା ଦିଆଯାଇଛି । ମୁମ୍ବାଇ ଉପକୂଳଠାରୁ ପ୍ରାୟ 2 ଶହ କି.ମି ଦୂରରେ ଥିବା ପାନାମାର ଏକ ରିସର୍ଚ୍ଚ ଭେସେଲ୍ସରେ କାର୍ଯ୍ୟରତ ଜଣେ ଚୀନ ନାଗରିକ ହଠାତ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଥିଲା । ଏକ ପ୍ରଶିକ୍ଷିତ ଟିମ୍କୁ ଧରି କୋଷ୍ଟଗାର୍ଡର ପାଟ୍ରୋଲିଂ ହେଲିକପ୍ଟର (CG ALH MK-III) ଗତକାଲି ମଧ୍ୟରାତ୍ରୀରେ ଅପରେସନରେ ବାହାରିଥିଲା । ଚୀନ ନାଗରିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ।
ଏହା ମଧ୍ୟ ପଢନ୍ତୁ :-INS Vindhyagiri: ନୌସେନାକୁ ଉତ୍ସର୍ଗୀକୃତ କଲେ ରାଷ୍ଟ୍ରପତି
ଅତୀତରେ ମଧ୍ୟ ଏହିପରି ଏକାଧିକ ଅପରେସନ୍ରେ ବାୟୁସେନା ଓ ବିଶେଷ ଭାବେ ତଟ ସୁରକ୍ଷା ଦାୟିତ୍ବରେ ଥିବା କୋଷ୍ଟଗାର୍ଡ ସଫଳତା ପ୍ରଦର୍ଶନ କରିଛି । ସମୁଦ୍ର ମଝିରେ ଫସିଥିବା ମତ୍ସ୍ୟଜୀବୀ ଓ ଅନ୍ୟମାନଙ୍କୁ ଆବଶ୍ୟକ ସ୍ଥଳେ ଉଦ୍ଧାର କରିବା ଦିଗରେ କୋଷ୍ଟଗାର୍ଡର ବଡ଼ ଭୂମିକା ରହିଥାଏ । ଭାରତର ଦୁଇ ପାର୍ଶ୍ବରେ ଥିବା ସମୁଦ୍ରରେ ବାତ୍ୟା ସୃଷ୍ଟି ହେଲା ପରେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବୋଟଗୁଡ଼ିକରେ ଥିବା ମତ୍ସ୍ୟଜୀବୀଙ୍କ ନିକଟରେ ସୂଚନା ପହଞ୍ଚାଇବା ଓ ଆବଶ୍ୟକସ୍ଥଳେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିବା ଦିଗରେ ମଧ୍ୟ କୋଷ୍ଟଗାର୍ଡ କାର୍ଯ୍ୟ କରିଥାଏ । ତଟ ସୁରକ୍ଷା ଓ ଅନୁପ୍ରବେଶ ରୋକିବା ଦିଗରେ କୋଷ୍ଟଗାର୍ଡ ପ୍ରଭାବୀ ଭାବେ କାର୍ଯ୍ୟ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ