କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସେତେ ସରଗରମ ହୋଇଉଠୁଛି ରାଜ୍ୟ ରାଜନୀତି । ଆଉ ନିର୍ବାଚନୀ ପ୍ରଚାରର ଶଙ୍ଖନାଦ ମଧ୍ୟରେ ସହାନୁଭୂତିର ରାଜନୀତି ପାଲଟିଛି ଏକମାତ୍ର ସାହାରା । ନନ୍ଦୀଗ୍ରାମରେ ପ୍ରଚାର ସମୟରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ସମର୍ଥକଙ୍କ ପାଇଁ ଜାରି କରିଛନ୍ତି ଏକ ଭିଡିଓ ବାର୍ତ୍ତା ।
ହସ୍ପିଟାଲରୁ ଭିଡିଓ ବାର୍ତ୍ତା ଜାରି କରି ମମତା ବାନାର୍ଜୀ କହିଛନ୍ତି, ଗୁରୁବାର ହୋଇଥିବା ଆକ୍ରମଣରେ ତାଙ୍କୁ ଗଭୀର ଆଘାତ ଲାଗିଛି । ଏନେଇ ହ୍ବିଲଚେୟାରରେ ବସି ପ୍ରଚାର କରିବେ ବୋଲି କହିଛନ୍ତି ଦିଦି ।
ମମତା ବାନାର୍ଜୀ ନିଜ ସମର୍ଥକଙ୍କୁ ଅପିଲ କରି ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କରିଛନ୍ତି ଅପିଲ । ଖୁବ ଶିଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି । ମମତା କହିଛନ୍ତି, ଯଦିଓ ତାଙ୍କ ଗୋଡରେ ଆଘାତ ଲାଗିଛି ତଥାପି ସେ ହ୍ବିଲଚେୟାରରେ ପ୍ରଚାର କରିବେ ।
ମମତାଙ୍କ ଭିଡିଓ ବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ କୋଲକାତାର ଏସଏସକେଏମ ହସ୍ପିଟାଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ଥ ବୁଲେଟିନ ଜାରି କରାଯାଇଥିଲା । ଏହି ବୁଲେଟିନ ଅନୁଯାୟୀ, ମମତା ବାନାର୍ଜୀଙ୍କ ବାମ ଗୋଡର ହାଡ ଭାଙ୍ଗିବା ଯୋଗୁଁ ଆଘାତ ଲାଗିଛି । ଏହାପରେ ମମତାଙ୍କ ଏମଆରଆଇ ସ୍କାନିଂ ମଧ୍ୟ କରାଯାଇଥିଲା ।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମମତା ବାନାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ଏବେ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ହସ୍ପିଟାଲର 6 ଜଣିଆ ଏକ ଡାକ୍ତରୀ ଟିମ ମମତା ବାନାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କଡା ନଜର ରଖିଛନ୍ତି ।
ହଳଦିଆରେ ପ୍ରାର୍ଥୀପତ୍ର ଦାଖଲ ପରେ ନନ୍ଦୀଗ୍ରାମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ନିର୍ବାଚନୀ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ ଦିଦି । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଛି ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବାବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଛି କଂଗ୍ରେସ ।
ମୁଖ୍ୟମନ୍ତ୍ରୀ ମମତା ନିଜ ଅଭିଯୋଗରେ କହିଛନ୍ତି, ନନ୍ଦୀଗ୍ରାମରେ ତାଙ୍କୁ ଆକ୍ରମଣ ହୋଇଛି । ଛାତି ଓ ଗୋଡରେ ଲାଗିଛି ଆଘାତ । ତେବେ ଗୋଡରେ ଗାଡି ଚଢାଇ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ମମତା । ହେଲେ ମମତା ଏଭଳି ସହାନୁଭୂତି ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।