ଅମରାବତୀ: କଂଗ୍ରେସରେ ସାମିଲ ହୋଇପାରିନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ନେତ୍ରୀ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା। ଚଳିତ ସପ୍ତାହର ଶେଷ ସୁଦ୍ଧା ସେ କଂଗ୍ରେସରେ ସାମିଲ ହେବା ସମ୍ଭାବନା ରହିଛି । ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ସେ ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶର୍ମିଲା ବର୍ତ୍ତମାନ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି । ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ସେ ଏପରି ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ-ଇଭିଏମକୁ ନେଇ 'ଇଣ୍ଡିଆ' ବ୍ଲକ୍ ଚିନ୍ତିତ, ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ମାଗିଲେ ସମୟ
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶ ନେତାଙ୍କ ମତାମତ ଲୋଡିଥିଲେ ରାହୁଲ ଗାନ୍ଧୀ । କଂଗ୍ରେସ ଦଳରେ ଶର୍ମିଲାଙ୍କୁ ସାମିଲ କରାଯିବା ଉଚିତ ବୋଲି ଅଧିକାଂଶ ଆନ୍ଧ୍ରପ୍ରଦେଶ ନେତା ମତ ରଖିଥିଲେ । ତାଙ୍କର ଯୋଗଦାନ ଦଳକୁ ମଜବୁତ କରିବ ବୋଲି କହିଥିଲେ ଦଳୀୟ ନେତା । ତେବେ ସେ କଂଗ୍ରେସରେ କେବେ ସାମିଲ ହେବେ ଆସନ୍ତାକାଲି ସୁଦ୍ଧା ତାହା ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ-ଓ୍ବାଇଏସ ଶର୍ମିଲାଙ୍କୁ ସର୍ତ୍ତମୂଳକ ଜାମିନ, ପୋଲିସକୁ ମାଡ ମାରି ହୋଇଥିଲେ ଗିରଫ
ଓ୍ବାଇ.ଏସ ଶର୍ମିଲା ଆଜି ଦଳର ନେତାଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ ଦଳର ମିଶ୍ରଣ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ମାତ୍ରାରେ ଭୋଟ ପାଇ ରାଜ୍ୟରେ ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ ଶର୍ମିଲା କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ଏପରିକି ଶର୍ମିଲାଙ୍କ ଦଳ ଗତ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାଗ ନେଇନଥିଲା । ନିର୍ବାଚନ ପୂର୍ବରୁ ଶର୍ମିଲା କହିଥିଲେ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ମୁଁ ସମର୍ଥନ କରୁଛି । ରାଜ୍ୟରେ ଶାସନ ଗଢିବାକୁ କଂଗ୍ରେସ ପାଖରେ ସୁଯୋଗ ରହିଛି । ବିଆରଏସ ରାଜ୍ୟରେ 9 ବର୍ଷ ଶାସନ କରି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ତେଣୁ ମୁଁ ଚାହୁଁଛି କେସିଆର କ୍ଷମତାରୁ ହଟନ୍ତୁ । ଆଗକୁ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ । ୨୦୨୪ ଲୋକସଭା ନିର୍ବାଚନ ସହ ହେବ ଆନ୍ଧ୍ର ନିର୍ବାଚନ । ଏହା ପୂର୍ବରୁ ଦଳକୁ ସଜାଡିବାକୁ କଂଗ୍ରେସ ଚେଷ୍ଟା କରୁଛି । ଯଦି ଶର୍ମିଲା ଦଳରେ ସାମିଲ ହୁଅନ୍ତୁ ତେବେ କଂଗ୍ରେସ ଦଳକୁ ବଳ ଯୋଗାଇବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଶର୍ମିଲାଙ୍କୁ ପାର୍ଟି ଏକ ବଡ ଦାୟିତ୍ବ ଦେଇପାରେ ବୋଲି ମଧ୍ଯ ଶୁଣିବାକୁ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ