ଡେରାଡୁନ: ଦବୁଛି ଯୋଶୀମଠରେ ଭୂମି । ଘର ଦବିବା ସହ କାନ୍ଥ, ରାସ୍ତାଘାଟ ଫାଟି ଆଁ କରିଛି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । କେଉଁ କାରଣରୁ ଦବିବାରେ ଲାଗିଛି ମାଟି ତାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହାର କାରଣ ଖୋଜିବାକୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛି କେନ୍ଦ୍ର । ଅନୁଧ୍ୟାନ କରି 3 ଦିନ ପରେ ରିପୋର୍ଟ ଦାଖଲ କରିବ ଟିମ୍ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ନିର୍ଦ୍ଦେଶ ଜାରି କରିଥିବା ବେଳେ ଏହାର ପ୍ରକୃତ କାରଣ ଜାଣିବା ପାଇଁ ବିଶେଷଜ୍ଞ ଟିମ୍ କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ, ଜାନୁଆରୀ ୬, ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଡେରାଡୁନରେ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।
ତେବେ ବାରମ୍ବାର ଭୂସ୍ଖଳନ ଫଳରେ ୬ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । ଯୋଶୀମଠରେ ଭୂସ୍ଖଳନ ହେତୁ ପରିସ୍ଥିତି ଦିନକୁ ଦିନ ବିପଜ୍ଜନକ ହୋଇପଡିଛି । ଘର ଏବଂ ରାସ୍ତାରେ ଥିବା ଖାଲ ହେବାରେ ଲାଗିଛି । ଧିରେ ଧିରେ ସେଠକାର ମାଟି ତଳକୁ ଦବୁଥିବା ବେଳେ, ୬ଶହରୁ ଊର୍ଦ୍ଧ୍ବ ଘର ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରଭାବିତ ଲୋକଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଧାମି କହିଛନ୍ତି,’’ ଲୋକଙ୍କ ଜୀବନ ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ’’। ଏକ ଟିମ୍ ମଧ୍ୟ ଯୋଶୀମଠରେ ସ୍ଥିତିର ଯାଞ୍ଚ କରୁଛି । ଆଜି (ଶନିବାର) ପୁଷ୍କର ସିଂ ଧାମି ମଧ୍ୟ ଯୋଶୀମଠ ଆସି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ଭୂସ୍ଖଳନ ପୀଡ଼ିତ, ତଥା ଭୂମିହୀନଙ୍କୁ ପ୍ରତିମାସରେ ଚାରି ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି ରାଜ୍ୟସରକାର । ଏହା ବ୍ୟତୀତ NDRF ଏବଂ SDRFର ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ଏଥି ସହିତ ବୈଠକରେ ଏକ ବଡ ଅସ୍ଥାୟୀ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯୋଶୀମଠରେ ପରିସ୍ଥିତିକୁ ଦୃଷ୍ଟିରେ ରଖି NTPC ପାୱାର ପ୍ରୋଜେକ୍ଟର ଟନେଲ କାମ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ସରକାର ।