ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି 4ଜଣ ଓଡିଆ ଶ୍ରଦ୍ଧାଳୁ । ଏମାନେ ଉତ୍ତରକାଶୀରେ ଥିବା ଗଙ୍ଗୋତ୍ରୀ ଧାମକୁ ଦର୍ଶନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମାନଙ୍କୁ ନେଇ ଯାଉଥିବା କାର ପ୍ରାୟ 20 ଫୁଟ ଗଭୀର ଖାଇକୁ ଖସି ପଡିଥିଲା । ହେଲେ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସମସ୍ତ 4 ତୀର୍ଥଯାତ୍ରୀ ପୁରୀ ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି ।
ଦୁର୍ଘଟଣା ପରେ ଏମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗଙ୍ଗୋତ୍ରୀ ଧାନକୁ ପଠାଯିବାର ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ସେମାନେ ଦର୍ଶନ ସାରି ହୋଟେଲକୁ ଫେରି ଆସିଥିବା ସୂଚନା ମିଳିଛି ।
ଏହି ଚାରି ଓଡିଆ ତୀର୍ଥଯାତ୍ରୀଙ୍କ ନାମ ସଞ୍ଜୟ ପୁରୋହିତ, ସୋହିଲତା ପୁରୋହିତ, କାମିନୀକାନ୍ତା ନାଥ ଓ ବିଜୟାଲକ୍ଷ୍ମୀ ନାଥ ବୋଲି ଜଣାପଡିଛି । ଏମାନେ ସମସ୍ତେ ପୁରୀର ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି । ଏମାନେ ଏକ କାରରେ ଗଙ୍ଗୋତ୍ରୀ ଅଭିମୁଖେ ବାହାରି ଥିବା ବେଳେ ସୋନଗାଡ ନିକଟରେ ଏମାନଙ୍କ କାର ଭାରସାମ୍ୟ ହରାଇ ଏକ 20 ଫୁଟ ଗଭୀର ଖାଇକୁ ଖସିପଡିଥିଲା । ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଏମାନେ ସମସ୍ତେ ସୁରକ୍ଷିତ ଥିଲେ ଓ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ ଦର୍ଶନ ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା ।
ତେବେ ଗୌଗଳିକ ଅବସ୍ଥିତି ଓ ପାର୍ବତ୍ୟାଞ୍ଚଳର ଦୁର୍ଗମ ରାସ୍ତାରେ ଏହି 4ଧାମ ଯାତ୍ରା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ରହିଥାଏ । ଅତୀତରେ ଏକାଧିକ ତଥା ପ୍ରାୟ ପ୍ରତିବର୍ଷ ଦୁର୍ଘଟଣାରେ ତୀର୍ଥଯାତ୍ରୀଙ୍କ ପ୍ରାଣହାନୀ ଖବର ସମ୍ନାକୁ ଆସୁଛି । ଦୁର୍ଗମ ପାର୍ବତ୍ୟାଞ୍ଚଳ ରାସ୍ତା ସାଙ୍ଗକୁ ପାଗରେ ହଠାତ ପରିବର୍ତ୍ତନ ମଧ୍ୟ ତୀର୍ଥଯାତ୍ରୀଙ୍କ ସମସ୍ୟାକୁ ଦୁଇଗୁଣିତ କରିଥାଏ । ତେଣୁ ଏହି 4 ଧାମକୁ ଯାତ୍ରା କରିବା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ପାଣିପାଗ ସୂଚନା ସମ୍ପର୍କରେ ଅବଗତ ହେବା ଓ ପରେ ଯାତ୍ରା ପାଇଁ ଯୋଜନା କରିବାକୁ ସ୍ଥାନୀୟ ପ୍ରାଶସନ ସବୁବେଳ ପରାମର୍ଶ ଦେଇଆସିଛି । ପାଗରେ ଅସ୍ବଭାବିକତା ଆସିଲେ ଏହି 4 ଧାମ ଯାତ୍ରା ସାମୟିକ ଭାବେ ବନ୍ଦ ମଧ୍ୟ କରାଯାଏ । ଦେବଭୂମି ଉତ୍ତରାଖଣ୍ଡରେ ଥିବା ଏକାଧିକ ଆଧ୍ୟାତ୍ମିକ ସ୍ଥଳୀର ପରିଦର୍ଶନ ପାଇଁ ଦେଶବ୍ୟାପୀ ତୀର୍ଥଯାତ୍ରୀ ଏଠାକୁ ଆସିଥାନ୍ତି । ପ୍ରତିକୂଳ ପାଗ, ଦୁର୍ଗମ ପାହାଡିଆ ରାସ୍ତାରେ ତୀର୍ଥଯାତ୍ରା ଏତେ ସହଜ ହୋଇନଥିଲେ ସୁଦ୍ଧା ଆସ୍ଥା ଓ ବିଶ୍ବାସ ସାମ୍ନାରେ ଏହା ପ୍ରତିରୋଧ ସୃଷ୍ଟି କରିପାରେନି । ପ୍ରତିବର୍ଷ ଭାରତ, ନେପାଳ ଓ ଭୁଟାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡ ଯାତ୍ରା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ