ଚଣ୍ଡିଗଡ: ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ ଉଡିବା ନିତିଦିନିଆ ଘଟଣା ହୋଇଗଲାଣି । କିଛି ଦିନ ହେଲା ଲଗାତାର ପଞ୍ଜାବର ଅମୃତସର ବର୍ଡରରେ ପାକିସ୍ତାନୀ ଡ୍ରୋନ ଠାବ ହେଉଛି । ଗତକାଲି (ଶନିବାର) ରାତିରେ ପୁଣିଥରେ ପାକିସ୍ତାନ ପଟୁ ଏକ ଡ୍ରୋନ ଅମୃତସର ବର୍ଡରରେ ପଶିଥିବା ବେଳେ ଭାରତୀୟ ସୀମା ସୁରକ୍ଷା ବଳର ଯବାନ ଗୁଳିକରି ଖସାଇଛନ୍ତି । ଡ୍ରୋନ ଜରିଆରେ ସୀମାରେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିଲା । ବିଏସଏଫ ଯବାନ ଡ୍ରୋନକୁ ଖସାଇବା ସହ ଜଣକୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣକ ଡ୍ରଗ୍ସ ଚାଲାଣକାରୀ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଅମୃତସର ସେକ୍ଟର ଅନ୍ତର୍ଗତ ଧାନୋଇ ଗ୍ରାମ ନିକଟରେ ବିଏସଏଫ ଯବାନ ଡ୍ୟୁଟି କରୁଥିବା ବେଳେ ଡ୍ରୋନ ଉଡିବା ଶବ୍ଦ ଶୁଣାଯାଇଥିଲା । ଡ୍ରୋନକୁ ଦେଖିବା କ୍ଷଣି ଯବାନମାନେ ତା' ଉପରକୁ ଗୁଳିକରି ତଳକୁ ଖସାଇ ଦେଇଥିଲେ । ସର୍ଚ୍ଚ ଅପରେସନ ଚଳାଇ ପାଖ ଚାଷବିଲରୁ ଡ୍ରୋନଟିକୁ ଜବତ କରାଯାଇଥିଲା । ଠିକ୍ ଏତିକି ବେଳେ ତିନି ଜଣ ବ୍ୟକ୍ତି ଧାନୋଇ ଗାଁ ଆଡକୁ ଦୌଡି ପଳାଇ ଯାଉଥିବାର ଯବାନ ଦେଖିଥିଲେ । ସେମାନଙ୍କୁ ଧରିବାକୁ ଯବାନମାନେ ପଛରେ ଗୋଡାଇ ଥିଲେ । ହେଲେ ୩ ଜଣଙ୍କ ଭିତରୁ ଦୁଇ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଜଣେ ଧରାପଡିଥିଲା । ତା' ନିକଟରୁ ୩ ପ୍ୟାକେଟ ଡ୍ରଗ୍ସ ମିଳିଥିଲା । ଯାହାର ଓଜନ ପ୍ରାୟ ୩.୪ କେଜି ହେବ ବୋଲି ବିଏସଏଫ ସୂଚନା ଦେଇଛି । ଫଳରେ ଭାରତ ସୀମାରେ ନିଶାଦ୍ରବ୍ୟ ଚାଲାଣ ନେଇ ପାକିସ୍ତାନର ଆଉ ଗୋଟିଏ ଯୋଜନା ନିଷ୍ଫଳ ହୋଇଯାଇଛି ।
ଅନେକ ସମୟରେ ପାକିସ୍ତାନୀ ଡ୍ରୋନ ଭାରତ ବାୟୁସୀମାକୁ ଚାଲିଆସୁଥିବାର ଦେଖାଯାଏ । ହେଲେ କିଛି ଦିନ ହେଲା ବାରମ୍ବାର ପଡୋଶୀ ଦେଶର ଡ୍ରୋନ ଭାରତ ଆକାଶରେ ଉଡୁଥିବାର ଦେଖିବାକୁ ମିିଳୁଛି । ସପ୍ତାହକ ମଧ୍ୟରେ ଅମୃତସର ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ବର୍ଡରରେ ୬ଟି ପାକିସ୍ତାନୀ ଡ୍ରୋନ ଠାବ କରାଗଲାଣି । ଏହାସତ୍ତ୍ବେ ପାକ୍ ସୁଧୁରୁବାର ନାଁ ନେଉନି । ଗତ ସୋମବାର ରାତିରେ ନିଶାଦ୍ରବ୍ୟ ଚାଲାଣ ଉଦ୍ଦେଶ୍ୟରେ ଭାରତ ସୀମାରେ ପଶିଥିବା ପାକିସ୍ତାନୀ ଡ୍ରୋନକୁ ବିଏସଏଫ ଗୁଳି କରି ଖସାଇଥିଲା । ଖୋଜାଖୋଜି କରିବା ପରେ ଡ୍ରୋନ ସହିତ ୨ କେଜିରୁ ଅଧିକ ହେରୋଇନ ମିଳିଥିଲା । ଏହାର ଦିନକ ପୂର୍ବରୁ ଯବାନମାନେ ୩.୩ କେଜି ହେରୋଇନ ଜବତ କରିଥିଲେ ।