ଭୋପାଳ: ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ମଧ୍ୟପ୍ରଦେଶ ଗ୍ବାଲିୟର-ଚମ୍ବାଲ ଅଞ୍ଚଳର ବିଜେପି ନେତା ପ୍ରୀତମ ସିଂହ ଲୋଧି(Pritam Singh Lodhi) । ବିଜେପି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରିଛି । ନିକଟରେ ଅବନ୍ତିବାଇ ଲୋଧିଙ୍କ ଜନ୍ମବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରୀତମ ସିଂହ ଯୋଗ ଦେଇ ବ୍ରାହ୍ମଣଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ, ''ଧର୍ମ ଆଳରେ ବ୍ରାହ୍ମଣମାନେ ଲୋକଙ୍କୁ ବୋକା ବନାଉଛନ୍ତି ଓ ସେମାନଙ୍କୁ ହଇରାଣ କରୁଛନ୍ତି ।'' ତାଙ୍କର ଏପରି ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ପରେ ତାଙ୍କର ଏପରି ବୟାନକୁ ନେଇ ବିବାଦ ଉପୁଜିଥିଲା । ଏହାପରେ ଭୋପାଳ ସ୍ଥିତ ବିଜେପିର କାର୍ଯ୍ୟାଳୟକୁ ଲୋଧିଙ୍କୁ ଡକାଯାଇ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରାଯାଇଛି । ଏପରିକି ବିଜେପି ଯୁବମୋର୍ଚ୍ଚା ନେତା ପ୍ରବୀଣ ମିଶ୍ରା ଲୋଧିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି । ସେ ଲୋକଙ୍କ ମଧ୍ୟରେ ଶତ୍ରୁତା ବଢାଉଥିବା ପ୍ରବୀଣ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ କହିରଖୁଛୁ କି, ୬୨ ବର୍ଷୀ ଲୋଧି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଘନିଷ୍ଠ ଅଟନ୍ତି । ତାଙ୍କ ନାଁରେ ପୂର୍ବରୁ ହତ୍ୟା ଉଦ୍ୟମ ଏବଂ ହତ୍ୟା ଭଳି ୩୭ଟି ମାମଲା ରହିଛି ।