ସିମଲା: ହିମାଚଳ ପ୍ରଦେଶର ପୋଙ୍ଗ ଡ୍ୟାମରେ ବିଦେଶୀ ପକ୍ଷୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର କାରଣ ପ୍ରାଥମିକ ଭାବେ ବାର୍ଡ ଫ୍ଲୁ ବୋଲି ଜଣା ପଡିଛି । ମୃତ ପକ୍ଷୀଙ୍କ ନମୁନା ପରୀକ୍ଷା ପରେ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ପ୍ରାଥମିକ ରିପୋର୍ଟରେ କହିଛନ୍ତି ଜଳନ୍ଧର ଓ ପାଲମପୁର ପଶୁପାଳନ ବିଭାଗର ବିଶେଷଜ୍ଞ ।
ଗତ ସପ୍ତାହକ ମଧ୍ୟରେ ପୋଙ୍ଗ ଡ୍ୟାମରେ ଶତାଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହେବା ପରେ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ମୃତ ପକ୍ଷୀଙ୍କ ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରାଯାଇ ପଞ୍ଜାବର ଜଳନ୍ଧର ପଶୁ ପାଳନ ବିଭାଗକୁ ପଠାଯାଇଥିଲା । ପରେ ସେଠାରେ ନମୁନା ଗୁଡିକ ପରୀକ୍ଷା ପରେ ଏହା ବାର୍ଡ ଫ୍ଲୁ ସଂକ୍ରମଣ ଯୋଗୁ ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଜରୁରୀ ବୈଠକ କରିଛି । ପୋଙ୍ଗ ହ୍ରଦ 4 ପାଖରେ ଥିବା 4 ବିଧାନସଭା କ୍ଷେତ୍ରରେ ଅଣ୍ଡା , ଚିକେନ ଆଦି ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଆଖପାଖ ଅଞ୍ଚଳରେ ମାଛ , ଚିକେନ ଓ ଅଣ୍ଡା ଦୋକାନ ବନ୍ଦ ରଖିବାକୁ କଟକଣା ଜାରି କରିଛି ସ୍ଥାନୀୟ ପ୍ରଶାସନ । ସେହିପରି ପୋଙ୍ଗ ଡ୍ୟାମକୁ ଦର୍ଶକଙ୍କ ଆଗମନ , ପରିଭ୍ରମଣ ,ବୋଟିଂ ଓ ମାଛ ଧରା ଇତ୍ୟାଦି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।
ପକ୍ଷୀଙ୍କ ମୃତ୍ୟୁ ପରେ ପୋଙ୍ଗ ହ୍ରଦର 10 କିଲେମିଟର ପରିଧି ମଧ୍ୟରେ ପଶୁ ପକ୍ଷୀଙ୍କ ଗତିବିଧି ଓ ସେମାନଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ଉପରେ ନଜର ରଖିଛନ୍ତି ପ୍ରାଣୀ ବିଷେଶଜ୍ଞ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ