ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୁରୁଣା ପେନସନ ଯୋଜନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ କର୍ମଚାରୀ ମାନେ ଏପ୍ରିଲ ୧, ୨୦୨୨ ରୁ ଛତିଶଗଡର ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠିର ସଦସ୍ୟ ଭାବରେ ବିବେଚିତ ହେବେ। ଚଳିତ ବର୍ଷର ଏହା ଶେଷ କ୍ୟାବିନେଟ ବୈଠକ ଥିଲା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।
ପୁରୁଣା ପେନସନ୍ ଯୋଜନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ରାଜ୍ୟ ସରକାରଙ୍କ ଅବଦାନ ଏବଂ ଏଥିରେ ମିଳିଥିବା ଲାଭାଂଶ ଜମା କରିବା ପରେ କର୍ମଚାରୀମାନେ ପୁରୁଣା ପେନସନ୍ ପାଇଁ ଯୋଗ୍ୟ ହେବେ। ଏଥିପାଇଁ ସରକାରୀ କର୍ମଚାରୀଙ୍କୁ NPS ଅଧୀନରେ ପୁରୁଣା ପେନସନ ଯୋଜନାର ସୁବିଧା ପାଇବାକୁ ବିକଳ୍ପ ଭାବେ ନୋଟରାଇଜ୍ଡ ଶପଥ ପତ୍ରରେ ଦେବାକୁ ପଡିବ । ଏହି ବିକଳ୍ପ ଅପରିବର୍ତତିତ ରହିବ । ସରକାରୀ କର୍ମଚାରୀଙ୍କ ଦ୍ୱାରା ପୁରୁଣା ପେନସନ ଯୋଜନା ଚୟନ କରିବା ପରେ, ନଭେମ୍ବର ୧, ୨୦୦୪ ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା NPS ଆକାଉଣ୍ଟରେ ଜମା ହୋଇଥିବା ଅବଦାନ ଏବଂ ଏଥିରେ ପ୍ରାପ୍ତ ଲାଭାଂଶକୁ ସରକାରଙ୍କ ଆକାଉଣ୍ଟରେ ଜମା କରିବାକୁ ପଡିବ । ଏପ୍ରିଲ୍ ୧, ୨୦୨୨ ରେ ଏବଂ ପରେ ନିଯୁକ୍ତ ରାଜ୍ୟ ସରକାରୀ କର୍ମଚାରୀମାନେ ବାଧ୍ୟତାମୂଳକ ଭାବରେ ପୁରୁଣା ପେନସନ ଯୋଜନାର ସଦସ୍ୟ ହେବେ।
ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି
କ୍ୟାବିନେଟ ବୈଠକରେ ବିଦ୍ୟାଳୟ ମରାମତି ନେଇ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ ମୋଟ ୭୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବୃକ୍ଷ ସମ୍ପଦ ଯୋଜନା
ଆରମ୍ଭ ହେବ ମୁଖମନ୍ତ୍ରୀ ବୃକ୍ଷ ସମ୍ପଦ ଯୋଜନା
ବୃକ୍ଷରୋପଣ ମାଧ୍ୟମରେ ପରିବେଶର ଉନ୍ନତି ତଥା କୃଷକଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟରେ ମୁଖମନ୍ତ୍ରୀ ବୃକ୍ଷ ସମ୍ପଦ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା ୧୫କୋଟି ଲାଭ ଦାୟକ ବୃକ୍ଷ ରୋପଣ କରାଯିବ । ବାର୍ଷିକ ୩୬ ହଜାର ଏକର ହାରରେ ୫ ବର୍ଷରେ ଏକ ଲକ୍ଷ ୮୦ ହଜାର ଏକରରେ ଲୋନାଲ ଇଉକଲିପଟସ୍, ଟିସୁ କଲଚର ଟିକ୍ ଏବଂ ବାଉଁଶ ଗଛ ଲଗାଯିବ । ସରକାରୀ , ବେସରକାରୀ ଅନୁଷ୍ଠାନ, ବେସରକାରୀ ଟ୍ରଷ୍ଟ ନିଜର ଜମିରେ ଗଛ ଲଗାଇବାକୁ ଚାହୁଁଥିଲେ ଏହାର ଲାଭ ଉଠାଇ ପାରିବେ ।
ମିଲେଟ ମିଶନ କାର୍ଯ୍ୟକ୍ରମ ଉପରେ ଆଲୋଚନା
ରାଜ୍ୟରେ ମିଲେଟ ମିଶନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ମିଲେଟ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କୃଷି, ଜଙ୍ଗଲ, ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ, ବିଦ୍ୟାଳୟ , ଅନୁସୂଚିତ ଜାତି ଓ ଜନଜାତି ବିକାଶ, ଖାଦ୍ୟ, ମହିଳା ଏବଂ ଶିଶୁ ବିକାଶ, ଗ୍ରାମ ଉଦ୍ୟୋଗ, ସଂସ୍କୃତି, ବାଣିଜ୍ୟ ଏବଂ ଶିଳ୍ପ, ପର୍ଯ୍ୟଟନ, ଜନସମ୍ପର୍କ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମିଳିତ ଭାବେ ମିଲେଟ ଉତ୍ପାଦନ ତଥା ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ।