ମୁଜାଫରନଗର: ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ୨୦୧୯କୁ ଶୁକ୍ରବାର ଠାରୁ ସାରା ଦେଶରେ ଲାଗୁ କରାଯାଇଛି । ଦେଶରେ ଅନେକ ରାଜ୍ୟରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏପରିସ୍ଥଳେ ଖାଟୁଆଲି ବିଜେପି ବିଧାୟକ ବିକ୍ରମ ସୈନି ଭାରତରେ ଶରଣାର୍ଥୀ ଶିବିରରେ ରହିଥିବା 25 ହିନ୍ଦୁ ପାକିସ୍ତାନୀଙ୍କୁ ପୁନଃବାସସ୍ଥାନ ସୁବିଧା ପ୍ରଦାନ କରିବା ସହ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା କହିଛନ୍ତି ।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ଶରଣାର୍ଥୀ ଶିବିରରେ ରହୁଥିବା 25 ପାକିସ୍ତାନୀ ହିନ୍ଦୁଙ୍କୁ ସେ ଏହି ସହାୟତା ପ୍ରଦାନ କରିବା ପାଇଁ କହିଛନ୍ତି । ଏମାନଙ୍କ ମଧ୍ୟରୁ 5 ଶରଣାର୍ଥୀ ପାକିସ୍ତାନରେ ଧର୍ମୀୟ ଉତ୍ପୀଡନର ଶିକାର ପରେ ଭାରତରେ ଶରଣ ନେଇଥିଲେ ।
ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ମଧ୍ୟରୁ 5 ଜଣଙ୍କୁ 5ହଜାର ଲେଖାଏଁ ଆର୍ଥିକ ସହାୟତା ଦେବା ପରେ କୱାଲ ଗ୍ରାମରେ ସମସ୍ତଙ୍କୁ ବାସସ୍ଥାନ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।
ବର୍ଷ 2013ରେ ମୁଜାଫରନଗର ଦଙ୍ଗାରେ ବିଧାୟକଙ୍କ ସମ୍ପୃକ୍ତି ରହିଥିଲା । ଏହି ଦଙ୍ଗାରେ କୱାଲ ଗ୍ରାମର ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ସମଗ୍ର ସହରରେ ଦଙ୍ଗା ବ୍ୟାପିଯାଇଥିଲା । ଏଥିରେ 60ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 40ହଜାର ଲୋକେ ବିସ୍ଥାପିତ ହୋଇଥିଲେ ।