ନୂଆଦିଲ୍ଲୀ: ଦେଶରେ ଏନପିଆର, ଏନଆରସି ଓ ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ଦେଶକୁ କଣ ଧର୍ମଶାଳା କରିବାକୁ ଦିଆଯିବ ? ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଭାରତରେ ରହିବାର ଅଛି ତ ଭାରତ ମାତା କି ଜୟ କହିବାକୁ ପଡିବ । ଧର୍ମେନ୍ଦ୍ରଙ୍କ ଏହି ଟାର୍ଗେଟ ଏନପିଆର, ଏନଆରସିଓ ସିଏଏକୁ ବିରୋଧ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ବିରୋଧୀ କହିଛନ୍ତି ଦେଶଭକ୍ତି ଧର୍ମେନ୍ଦ୍ରଙ୍କ ଠାରୁ ଶିଖିବାର ଆବଶ୍ୟକତା ନାହିଁ । ପ୍ରଶ୍ନ ଉଠୁଛି ଭାରତ ମାତା ଜୟ କହିବାରେ ଅସୁବିଧା କାହିଁକି ?
ଭାରତ ମାତା ଜୟ କହିବାରେ ଅସୁବିଧା କାହିଁକି?
ବାରମ୍ବାର ଭାରତ ମାତା ଜୟ କହିବେ ନାହିଁ ବୋଲି ବିରୋଧୀ ହଲ୍ଲାବୋଲ କରୁଥିବା ବେଳେ ସରକାର ବିରୋଧୀଙ୍କୁ ମଧ୍ୟ କଡା ଭର୍ତ୍ସନା କରୁଛନ୍ତି । ଦେଶରେ ପୁଣିଥରେ ଭାରତ ମାତାକୁ ନେଇ କ୍ଷମତା ରାଜନୀତି ଆରମ୍ଭ ହୋଇଯାଇଛି । ଭାରତ ମାତା କି ଜୟକୁ ନେଇ ଏବେ ସରକାର ବିରୋଧୀ ମୁହାଁମୁହିଁ । ଉତ୍ତର ପ୍ରଦେଶ ମିରଟରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବା ଆନ୍ଦୋଳନକାରୀଙ୍କୁ ପୋଲିସ ପାକିସ୍ତାନ ଚାଲିଯାଅ ବୋଲି କହିବା ପରେ ଏହି ପ୍ରସଙ୍ଗ ପୁଣିଥରେ ଫେରିଛି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ଭାରତରେ ରହିବାର ଅଛି ତ ଭାରତ ମାତାକି ଜୟ କହିବାର ଆବଶ୍ୟକତା ଅଛି । ଏହାସହ ସେ କହିଛନ୍ତି ମିରଟରେ ଆନ୍ଦୋଳନକାରୀ ପାକିସ୍ତାନ ଜିନ୍ଦାବାଦ କହିଥିଲେ ଯେଉଁଥିପାଇଁ ଏସପି ଆନ୍ଦୋଳନକାରୀଙ୍କୁ ପାକିସ୍ତାନ ଯିବାକୁ କହିଥିଲେ । ସେଠାରେ ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କହି ଦେଶ ବିରୋଧୀ ନାରାବାଜୀ କରିବେ ତାଙ୍କୁ ଦେଶ କେବେ କ୍ଷମା କରିବ ନାହିଁ । ତେବେ କାହିଁକି ଭାରତ ମାତାକୁ ନେଇ ରାଜନୀତି ବଢୁଛି? କାରଣ ସରକାର ଆଣିଥିବା ସିଏଏ ଆଇନକୁ ନେଇ ଏବେ ବିରୋଧୀ ବିରୋଧ କରିବା ଆଳରେ ଦେଶ ବିରୋଧୀ ନାରାବାଜୀ କରୁଛନ୍ତି । ଗୋଟିଏ ପଟେ ସରକାର ସିଏଏ ସପକ୍ଷରେ ବାରମ୍ବାର ସ୍ପଷ୍ଟିକରଣ ଦେଉଥିବା ବେଳେ ବିରୋଧୀ ଆନ୍ଦୋଳନରେ ମାତିଛନ୍ତି ।
ଭାରତ ମାତା ଜୟକୁ ନେଇ କଣ କହୁଛି ପୁରାଣ ଶାସ୍ତ୍ର
ବେଦ ରେ ସ୍ପଷ୍ଟ ଭାବେ ଲେଖା ହୋଇଛି ମାତା ଭୂମି:ପୂତ୍ରହଃ ପୃଥ୍ବୀବି, ବାଲ୍ମିକୀ ରାମାୟଣରେ ମଧ୍ୟ ଭାରତ ମାତାକୁ ଦର୍ଶାଯାଇଛି । ଏଥିରେ ଲେଖା ହୋଇଛି ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରୀୟସୀ’ ସେହିପରି କିରଣ ଚନ୍ଦ୍ର ବନ୍ଦୋପାଧ୍ୟାୟ 1873ରେ ଭାରତ ମାତା ନାମରେ ଏକ ନାଟକ ରଚନା କରିଥିଲେ । ବଙ୍କିମ ଚନ୍ଦ୍ର ଚଟ୍ଟପାଧ୍ୟାୟଙ୍କ ଆନନ୍ଦ ମଠରେ 1882ରେ ବନ୍ଦେ ମାତରମ ଉଲ୍ଲେଖ କରିଥିଲେ । ରବିନ୍ଦ୍ର ନାଥ ଟାଗୋର ମଧ୍ୟ ଭାରତ ମାତାକୁ ଦେବୀ ଭାବେ ଗ୍ରହଣ କରିଛନ୍ତି । ଏହାସହ ଶିବ ପ୍ରସାଦ ଗୁପ୍ତ 1936ରେ ବନାରସରେ ଭାରତ ମାତାଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ । ଯାହକୁ ମାହାତ୍ମା ଗାନ୍ଧୀ ଉଦଘାଟନ କରିଥିଲେ ।
ଅନୁପ୍ରବେଶକାରୀ ଓ ଶରଣାର୍ଥୀଙ୍କ ମଧ୍ୟରେ କଣ ପାର୍ଥକ୍ୟ
ଅନୁପ୍ରବେଶକାରୀ ହେଉଛନ୍ତି ଯେଉଁମାନେ ଅବୈଧ ଭାବେ ଦେଶରେ ପ୍ରବେଶ କରି ବସବାସ କରୁଛନ୍ତି, ଲୁଚି ଛପି ରହୁଛନ୍ତି ସ୍ଥାନୀୟ ପ୍ରଶାସନକୁ କିଛି ସୂଚନା ଦେଉନାହଁନ୍ତି ସେମାନେ ଅନୁପ୍ରବେଶକାରୀ । ଶରଣାର୍ଥୀ ହେଉଛନ୍ତି ଯେଉଁମାନେ ସରକାରଙ୍କ ଅନୁମତିରେ ଅନ୍ୟଦେଶରେ ପ୍ରବେଶ କରି ବସବାସ କରୁଛନ୍ତି । ଧର୍ମ ଆଧାରରେ ଉତ୍ପୀଡନ ଶୀକାର ହୋଇ ନିଜ ଦେଶରୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି, ଅନ୍ୟଦେଶରେ ଶରଣାର୍ଥୀ କ୍ୟାମ୍ପରେ ବସବାସ କରିବା ସହ ସରକାରଙ୍କୁ ସମସ୍ତ ସୂଚନା ଦେଉଛନ୍ତି ସେମାନେ ଶରଣାର୍ଥୀ ।
ଅନୁପ୍ରବେଶକାରୀଙ୍କୁ ଦେଶଛାଡିବାକୁ ପଡିବ
ସରକାରଙ୍କ ଅନୁମାନ ଅନୁସାରେ ଦେଶରେ ଏବେ 2 କୋଟି ରୁ ଅଧିକ ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । ସେଥିମଧ୍ୟରୁ 30 ଲକ୍ଷରୁ ଅଧିକ ପଶ୍ଚିମବଙ୍ଗ ରେ ଅଛନ୍ତି । 15ରୁ 20 ଲକ୍ଷ ଆସାମରେ ଅଛନ୍ତି । ଆସାମରେ ଦୃତଗତିରେ ମୁସଲିମଙ୍କ ସଂଖ୍ୟା ବଢୁଛି । 1991ରେ ଆାସାମରେ ମୁସଲିମ ଜନସଂଖ୍ୟା 28.42% ଥିବାବେଳେ 2001ରେ 30.92% ଓ 2011 ଜନଗଣଣା ବେଳକୁ ଏହା ବଢି 34.22% ରେ ପହଞ୍ଚିଥିଲା । 2024 ସୁଦ୍ଧା ଦେଶରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।