ହାଇଦ୍ରାବାଦ: ଲକଡାଉନ ନା ଯେ କେବଳ କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରୁଛି ବରଂ ଏହା ଦେଶରେ ଅନେକ ୱାଣ୍ଟେଡ ଅପରାଧୀଙ୍କୁ କାବୁ କରିବାରେ ମଧ୍ୟ ପୋଲିସକୁ ସାହାଯ୍ୟ କରୁଛି । ଅନ୍ୟ ସାଧାରଣ ଲୋକଙ୍କ ପରି ବର୍ତ୍ତମାନ ଅପରାଧୀ ମଧ୍ୟ ଘରେ ବସିବାକୁ ବାଧ୍ୟ ହୋଇଥିବାରୁ ପୋଲିସ ପାଇଁ ସେମାନଙ୍କୁ ଗିରଫ କରିବା ଅଧିକ ସହଜ ହୋଇଛି । ଲକଡାଉନ ପାଇଁ ବର୍ତ୍ତମାନ ଅପରାଧୀମାନେ ଘରେ ବନ୍ଦୀ ଥିବା ବେଳେ ପୋଲିସ ବିଶେଷ ସୂତ୍ର ଓ କଠିନ ପରିଶ୍ରମ ବଳରେ ଅପରାଧୀଙ୍କୁ ଜେଲରେ ପହଞ୍ଚାଇବାରେ ସଫଳ ହେଉଛି ।
ଲକଡାଉନ ଯୋଗୁଁ ଏବେ ଅନେକ କୁଖ୍ୟାତ ଅପରାଧୀ, ମଦ ଚୋର, ଗ୍ୟାଙ୍ଗଷ୍ଟର ଓ ଜୁଆଡି ଆଦି ପୋଲିସର ଜେଲରେ ପଡୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅପରାଧୀ ବଡ ବଡ ଅପରାଧ ଘଟାଇ ଦୀର୍ଘ ଦିନ ହେବ ପୋଲିସକୁ ଭୂଆଁ ବୁଲାଇ ଆସୁଥିଲେ । ହେଲେ କେନ୍ଦ୍ର ସରକାରଙ୍କ ରାତାରାତି ଲକଡାଉନ ଘୋଷଣା ଏମାନଙ୍କ ପାଇଁ ଅଭିଶାପ ପାଲଟିଛି । ଚାହିଁଲେ ବି ଘରୁ ବାହାରକୁ ଯାଇ ନପାରି ଘରେ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଥିଲେ ଅପରାଧୀ । ଏହା ମଧ୍ୟରେ ସୀମାରେ ଓ ପ୍ରବେଶ ପଥରେ ଚେକ ପଏଣ୍ଟ ଓ କଡା ସୁରକ୍ଷାବଳ ମୁତୟନ ହେବା ଦ୍ବାରା ଏହି ଅପରାଧୀମାନେ ନିଜ ଲୁଚିବା ସ୍ଥାନ ମଧ୍ୟ ପରିବର୍ତ୍ତନ କରିବାରେ ଅସଫଳ ହୋଇଥିଲେ ।
ବିହାର:
13.04.2020 -
ବିହାର ଅନ୍ୟତମ ୱାଣ୍ଟେଡ ଅପରାଧୀ ହେଉଛି ରବିନ୍ଦ୍ର ମିଶ୍ରା ବା କୁବେର ମିଶ୍ରା । ସେ ଲକଡାଉନ ସମୟରେ ଖାଦ୍ୟ ଓ ଅର୍ଥାଭାବ ମଧ୍ୟରେ ଗତି କରିଥିଲା । ଫଳରେ ନିଜ ଭୋକ ମାରିବାକୁ ସେ ବାଧ୍ୟ ହୋଇ ରୋଜଗାରର ସନ୍ଧାନ କରିଥିଲା । ଏହି ସମୟ ମଧ୍ୟରେ ପୋଲିସ ଖବର ପାଇଁ ମିଶ୍ରାକୁ ଗିରଫ କରିଥିଲା । ତେବେ ପୋଲିସ ମିଶ୍ରାକୁ ଗତ 4 ବର୍ଷ ହେବ ଖୋଜୁଥିଲା ଓ ତା ମୁଣ୍ଡରେ 50,000 ଟଙ୍କାର ପୁରସ୍କାର ରାଶି ରହିଥିଲା ।
ଦିଲ୍ଲୀ:
14.04.2020 -
ଏକାଧିକ ଅପରାଧରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ବିଜେନ୍ଦ୍ର ଗଡଗୁର ସନ୍ଧାନରେ ଦିଲ୍ଲୀ ପୋଲିସ 2018 ମସିହାରୁ ରହିଥିଲା । ହେଲେ ଶେଷରେ ଲକଡାଉନ ସମୟର ସୁଯୋଗ ନେଇ ପୋଲିସ ବିଜେନ୍ଦ୍ର ପାଇଁ ଜାଲ ବିଛାଇଥିଲା । ଆଉ ସଫଳତାର ସହ ବିଜେନ୍ଦ୍ରକୁ ପୋଲିସ ଗିରଫ କରିଥିଲା । ତାର ମୁଣ୍ଡରେ 1 ଲକ୍ଷର ପୁରସ୍କାର ରାଶି ରହିଥିବା ବେଳେ ସେ ଦିଲ୍ଲୀ-ଏନସିଆରରେ ପରିଚାଳିତ କାଲା ଗ୍ୟାଙ୍ଗର ଏକ ସକ୍ରିୟ ସଦସ୍ୟ ଥିଲା ।
ହରିୟାଣା:
02.06.2020 -
ଉତ୍ତର ପ୍ରଦେଶ ପୋଲିସ ପାଖରେ ୱାଣ୍ଟେଡ ଥିବା ହରିୟାଣାର ନୁହ ଜିଲ୍ଲାର ଜାକିର ହୁସେନ ଇତି ମଧ୍ୟରେ ଧରା ପଡିଛି । ହରିୟାଣା ପୋଲିସକୁ ମିଳିଥିବା ଏକ ଗୁପ୍ତ ଖବର ଆଧାରରେ ପୋଲିସ ଜାକିରକୁ ଗିରଫ କରିବାରେ ସଫଳ ହୋଇଥିଲା । ଆଗ୍ରାରେ 2002 ମସିହାରେ ହୋଇଥିବା ଲୁଟ ଓ ଡକାୟତିରେ ଜାକିର ସମ୍ପୃକ୍ତି ରହିଥିବା ବେଳେ ପୋଲିସ ତା ମୁଣ୍ଡରେ 15,000 ଟଙ୍କାର ପୁରସ୍କାର ରାଶି ରଖିଥିଲା ।
17.05.2020 -
ଲକଡାଉନ ଅବଧି ମଧ୍ୟରେ ହରିୟାଣା ପୋଲିସ ହାତରେ ଧରା ପଡିଛନ୍ତି 3 ମୋଷ୍ଟ ୱାଣ୍ଟେଡ ଅପରାଧୀ । ଏଥିସହ ଅନ୍ୟ 21 ଇନାମୀ ଅପରାଧୀ, 61 ଘୋଷିତ ଅପରାଧି, 40 ବେଲରେ ବାହାରିଥିବା ଅପରାଧୀ ଓ ଦିଲ୍ଲୀ, ଏନସିଆର ଓ ୟୁପିର ପଲୱଲ, ନୁହ ଜିଲ୍ଲାରେ 15ରୁ ଉର୍ଦ୍ଧ୍ବ ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଛି । ତେବେ ତିନି ଜଣ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଉପରେ 25,000 ଓ ଜଣଙ୍କ ଉପରେ 15,000ର ପୁରସ୍କାର ରାଶି ରହିଥିଲା । ସେପଟେ ତିନି ଜଣ ଅପରାଧୀ 18ଟି ଡକାୟତି, ହତ୍ୟା ଓ ହତ୍ୟା ପାଇଁ ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିଲେ ।
13.05-2020 -
53 ଅପରାଧୀଙ୍କ ମଧ୍ୟରେ 5 ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କୁ ଗିରଫ କରିଥିଲା ହରିୟାଣା ପୋଲିସ । ଏମାନଙ୍କୁ ହିସାର, ହଂସି, ଜିନ୍ଦ ଓ ସିରସାରୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହା ବାଦେ ଅନ୍ୟ 48ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିଲେ । ହିସାରରୁ 16, ହଂସିରୁ 8, ଜିନ୍ଦରୁ 9, ସିରସାରୁ 13 ଓ ଫତେହାବାଦରୁ ଦୁଇ ଜଣ ରହିଥିଲେ । ଏମାନଙ୍କ ପାଖରୁ ପୋଲିସ 972 କିଲୋଗ୍ରାମ ନାର୍କୋଟିକ ସାମଗ୍ରୀ ସହ 2.04 ଲକ୍ଷର ମଦ ବୋତଲ ଜବତ କରିଛି ।
ପଞ୍ଜାବ:
02.06.2020 -
ପଞ୍ଜାବ ଅର୍ଗାନାଇଜଡ କ୍ରାଇମ କଣ୍ଟ୍ରୋଲ ୟୁନିଟ (ଓସିସିୟୁ) ଖଲିସ୍ତାନର ଆତଙ୍କବାଦ ତଥା ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତେଜିନ୍ଦର ସିଂ ଓରଫ ତେଜାକୁ ମୋହାଲିରୁ ଗିରଫ କରିଛି । ଖଲିସ୍ତାନରେ ଆନ୍ଦୋଳନ ପାଇଁ ଅର୍ଥ ଏକାଠି କରୁଥିବା ସମୟରେ ତାକୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ତେଜା ଲୁଧିଆନାରେ 2 କିଲୋଗ୍ରାମ ସୁନା ଲୁଟିଥିବା ଅଭିଯୋଗ ରହିଛି ।
07.05.2020 -
ପଞ୍ଜାବ ପୋଲିସକୁ ଏତ ବଡ ସଫଳତା ସ୍ବରୂପ ସେ 7 ଗ୍ୟାଙ୍ଗଷ୍ଟରଙ୍କ ସମେତ ମୋଷ୍ଟ ୱାଣ୍ଟେଡ ବଲଜିନ୍ଦର ସିଂ ଓରଫ ବିଲ୍ଲାକୁ ଗିରଫ କରିଥିଲା । ପାକିସ୍ତାନରୁ ଚୋରି କରିଥିବା ବିପୁଳ ଅସ୍ତ୍ରଶସ୍ତ୍ରକୁ ଜବତ କରିବାକୁ ଯାଇ ପୋଲିସ ଏହି ଅପରାଧୀଙ୍କ ଠିକଣା ପାଇଥିଲା । ସେପଟେ ଅନ୍ୟ ଏକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଖଜିନ୍ଦର ଓ ଅନ୍ୟ ବିଲ୍ଲା ଗ୍ୟାଙ୍ଗର 5 ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ବିଲ୍ଲା ପ୍ରାୟ 18ରୁ ଉର୍ଦ୍ଧ୍ବ ମାମଲାରେ ପାଇଁ ପୋଲିସର ସନ୍ଧାନରେ ରହିଥିଲା ।
ମଧ୍ୟ ପ୍ରଦେଶ:
29.05.2020 -
କ୍ରାଇମ ବ୍ରାଞ୍ଚ ହାବୁଡରେ ପଡିଥିଲା ତାଲିକାଭୁକ୍ତ ଅପରାଧୀ ମୌସମ ମରାଠା ଓ ସହଯୋଗୀ ଲଖନ । ଇନ୍ଦୋରର ଛତ୍ରିପୁରା ଥାନା ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ବିରୋଧରେ ପୋଲିସ ଆର୍ମ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ପୋଲିସ ହେପାଜତରେ ଏମାନଙ୍କୁ ପଚରା ଉଚରା ଜାରି ରହିଛି ।
ରାଜସ୍ଥାନ:
07.04.2020 -
କୁଖ୍ୟାତ ଡକାୟତ ପପ୍ପୁ ଗୁର୍ଜରର ରାଜସ୍ଥାନ, ୟୁପି ଓ ମଧ୍ୟପ୍ରଦେଶରେ ଅପରାଧିକ ଚିହ୍ନ ରହିଥିବା ବେଳେ ଢୋଲପୁରରେ ଏହାକୁ ଗିରଫ କରିଛି ପୋଲିସ । ତାର ମୁଣ୍ଡରେ ଆଗ୍ରା ଓ ରାଜସ୍ଥାନ ପୋଲିସ 50,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ରାଜସ୍ଥାନ ଟପ୍ 10 ମୋଷ୍ଟସ ୱାଣ୍ଟେଡ ଅପରାଧିଙ୍କ ମଧ୍ୟରେ ପପ୍ପୁ ଜଣେ ।
ଉତ୍ତର ପ୍ରଦେଶ:
20.04.2020 -
ପୂର୍ବତନ ସାଂସଦ ଆତିକ ଅହମ୍ମଦ ଗ୍ୟାଙ୍ଗର ଖାଲିଦ ଜାଫର ଓ ନିଲୁକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପ୍ରୟାଗରାଜର ବିଲ୍ଡର ଜାୟେଦ ଖାଲିଦର ଅପହରଣରେ ଏମାନେ ସମ୍ପୃକ୍ତ ରହିଥିବା ଜଣାପଡିଛି ।
01.06.2020 -
ଦୀର୍ଘ ଦିନ ପରେ ନୋଏଡାରେ ପୋଲିସ ହାତରେ ଧରା ପଡିଛି 25,000 ଟଙ୍କାର ଇନାମୀ ଅପରାଧୀ । ଗିରଫ ପରେ ଏହାର ନାମ ମୋନୁ ଜଣାପଡିଛି । 12ଟି ଅପରାଧିକ ମାମଲାରେ ମୋନୁର ସମ୍ପୃକ୍ତି ନେଇ ପୋଲିସ ଦୃଢୋକ୍ତି ପ୍ରକାଶ କରିଛି ।
30.05.2020 -
ସୂତ୍ର ମୁତାବକ ଖଲିସ୍ତାନ ସହ ସମ୍ପର୍କରେ ଥିବା ୱାଣ୍ଟେଡ ଆତଙ୍କବାଦୀ ତୀରଥ ସିଂକୁ ପଞ୍ଜାବ ପୋଲିସ ମୀରଟରୁ ଗିରଫ କରିଛି ।
23.05.2020 -
ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ମୁଣ୍ଡରେ 50,000 ଟଙ୍କାର ପୁରସ୍କାର ରାଶି ଥିବା ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅପରାଧୀ ଜାଭେଦ ଓ ସହଯୋଗୀ ପପୁକୁ ପୋଲିସ ଗିରଫ କରିଛି । ଏମାନଙ୍କ ଉପରେ ପ୍ରାୟ 24 ରୁ ଊର୍ଦ୍ଧ୍ବ ମାମଲାରେ ସମ୍ପୃକ୍ତି ଅଭିଯୋଗ ରହିଛି ।
ପଶ୍ଚିମବଙ୍ଗ:
29.05.2020 -
ଜାମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶର ଆଗ ଧାଡିର ପରିଚାଳକ ଅବଦୁଲ କରିମ ଓ ସହଯୋଗୀ ବୋରୋ କରିମଙ୍କୁ ବାଂଲାଦେଶସ୍ଥିତ ଆତଙ୍କୀ ଆଡ୍ଡାର ତୃତୀୟ ମୁଖ୍ୟ ବୋଲି କୁହାଯାଏ । ଏମାନଙ୍କୁ କୋଲକାତା ପୋଲିସ ସ୍ପେଶିଆଲ ଟାସ୍କ ଫୋର୍ସ ମୁର୍ସିଦାବାଦର ସୁଟିରେ ଗିରଫ କରିଛି । ଅବଦୁଲ ନାଁରେ ଉଭୟ ବାଂଲାଦେଶ ଓ ଭାରତରେ 2017 ମସିହାରୁ ୱାଣ୍ଟେଡ ମାମଲା ରୁଜୁ ରହିଛି । ତେବେ 2013 ବୋଦ୍ଧ ଗୟା ବ୍ଲାଷ୍ଟରେ ମଧ୍ୟ ଅବଦୁଲର ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି । ହେଲେ ଗିରଫର କିଛି ଦିନ ପୂର୍ବରୁ ସେ କେରଳରୁ ଅନ୍ୟ ଦାଦନ ଶ୍ରମିକଙ୍କ ସହ ଫେରିଥିବା ଜଣାପଡିଛି ।