ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ । ମଧ୍ୟପ୍ରାଚ୍ୟ ଆକାଶରେ ଯୁଦ୍ଧର କଳାବାଦଲ । ଦୁଇ ଦେଶ ମଧ୍ୟରେ ସମର ଆଶଙ୍କା ଯେକୌଣସି ମୂହୁର୍ତ୍ତରେ ବିଶ୍ବ ଯୁଦ୍ଧ ଆଡକୁ ମୁହାଁଇପାରେ । ଏପରିସ୍ଥଳେ ଏଭଳି ଭୀଷଣ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଭାରତ ସତର୍କତା ଅବଲମ୍ବନ କରିବା ପାଇଁ ବଡ ପଦକ୍ଷେପ ନେଇଛି । ଭାରତ ନିଜ ସାମରିକ ହିତ ରକ୍ଷା କରିବା ପାଇଁ ଭାରତ ଓମାନ ଉପସାଗରରେ ଯୁଦ୍ଧ ଜାହାଜ ଆଇଏନଏସ ତ୍ରିଖଣ୍ଡକୁ ମୁତୟନ କରିଛି। ଆବଶ୍ୟକ ପଡ଼ିଲେ ଇରାକରୁ ଭାରତୀୟଙ୍କୁ ଆଇଏନଏସ ତ୍ରିଖଣ୍ଡ ଜରିଆରେ ଉଦ୍ଧାର କରାଯାଇପାରେ । ବୁଧବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
ଯେ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ନୈାସେନା ନିଜ ଯୁଦ୍ଧଜାହାଜକୁ ମୁତୟନ କରିଛି । ଯୁଦ୍ଧପୋତ ଲଢିବା ପାଇଁ ନୁହେଁ ବରଂ ସମୁଦ୍ର ପଥରେ ବାଣିଜ୍ୟ ମାର୍ଗ ଓ ବ୍ୟବସାୟୀଙ୍କୁ ସୁରକ୍ଷିତ ରଖିବା ପାଇଁ ଏହାକୁ ମୁତୟନ କରିଛି । ବୁଧବାର ଭାରତୀୟ ନୌସେନା ମଧ୍ୟପ୍ରାଚ୍ୟରେ ସମସ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛି ।
ସୂଚନା ଯୋଗ୍ୟ ଯେ ଇରାନ ନିଜ ସେନା ପ୍ରମୁଖ ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପଣ କରିଛି । ଫଳସ୍ବରୁପ ବୁଧବାର ସକାଳେ ଇରାକର ଅଲ ଅସଦ ସ୍ଥିତ ଆମେରିକା ସୈନ୍ୟ ଶିବିର ଉପରେ ମିସାଇଲ ମାଡ କରିଥିଲା । ଏଥିରେ ୮୦ ଆମେରିକୀୟ ସୈନ୍ୟ ନିହତ ହୋଇଥିବା ଇରାନ ଦାବି କରୁଛି ।
ବୁଧବାର ସକାଳେ ଇରାନରେ ୟୁକ୍ରେନ ଯାଉଥିବା ଏକ ପ୍ଲେନ କ୍ରାସ ହୋଇ ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଏବେ ମଧ୍ୟ ପ୍ରାଚ୍ୟ ଅଶାନ୍ତ ହୋଇପଡିଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଭାରତୀୟଙ୍କୁ ଏହି ସମୟରେ ଇରାକ ଯାତ୍ରା ନକରିବାକୁ କହିଛି । ସରକାରଙ୍କ ପକ୍ଷରୁ ଗଲ୍ଫ ରୁଟରେ ନଯିବାକୁ ଭାରତୀୟ ଏୟାରଲାଇନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।