ଜମ୍ମୁ: ଶନିବାର ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ୱାନପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ 2 ଆତଙ୍କୀ । ଜମ୍ମୁ କାଶ୍ମୀର ପୋଲିସର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।
ନିହତ ଆତଙ୍କବାଦୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ସେମାନଙ୍କ ପାଖରୁ ଏକ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଜଣାପଡିବା ପରେ ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫର ମିଳିତ ଉଦ୍ୟମରେ ଏନକାଉଣ୍ଟର କରାଯାଇଥିଲା।
ଜମ୍ମୁକାଶ୍ମୀର ପୋଲିସ୍ ଅଧିକାରୀ ଏହା ପୂର୍ବରୁ କହିଥିଲେ, ଆର୍ମି ଇଷ୍ଟ ରାଷ୍ଟ୍ରୀୟ ରାଇଫଲ୍ସ, ସିଆପିଏଫ ଓ ପୋଲିସ ମିଳିତ ଭାବେ ୱାନପୋରା ଅଞ୍ଚଳକୁ ନାକାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଏହି ଅଞ୍ଚଳରୁ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାଗୁଡିକ ବନ୍ଦ କରିଦିଆଯାଇଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଆତଙ୍କବାଦ ବିରୋଧୀ ଅପରେସନ ଚାଲିଛି । ହିଜବୁଲ ଏବଂ ଜେଏମ କମାଣ୍ଡରଙ୍କ ସମେତ 70 ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାୟ 22 ଜଣ ସକ୍ରିୟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।