ପ୍ରତିରକ୍ଷା/ଶକ୍ତି ହେବ ଆଲୋଚନାର ପ୍ରମୁଖ ପ୍ରସଙ୍ଗ, କ୍ଷୁଦ୍ର ବାଣିଜ୍ୟ ଚୁକ୍ତି ହୋଇ ନପାରେ
ଫେବ୍ରୃଆରୀ 24-25ରେ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଲାଗି ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି । ଦୁଇ ଦିନରେ ତିନିଟି ସହର ଯାତ୍ରା କାର୍ଯ୍ୟକ୍ରମର ପ୍ରଥମ ସୋପାନରେ, ଫେବ୍ରୁଆରୀ 24 ତାରିଖ, ସୋମବାର ମଧ୍ୟାହ୍ନରେ ଏୟାର ଫୋର୍ସ୍ କ୍ୟାରିଅର ୱାନ୍ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବ । ନିୟମାନୁଗତ ଔପଚାରିକତା ବା ପ୍ରୋଟୋକଲକୁ ଏଡ଼ାଇ ଯାଇ, ନିଜେ ପ୍ରଧାନମନ୍ତ୍ରୀ ମୋଦି, ବ୍ୟକ୍ତିଗତ ଭାବେ ଫାର୍ଷ୍ଟ ଲେଡି ମେଲାନିଆ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣିବେ ।
22 କିଲୋମିଟରର ରୋଡ୍ ଶୋ’ରେ ଗାଡ଼ିଗୁଡ଼ିକ ଧାଡ଼ିରେ ଯିବା ବେଳେ, ରାସ୍ତା ଦୁଇ କଡ଼ରେ, ‘ମିଲିଅନ୍ସ୍ ଆଣ୍ଡ ମିଲିଅନ୍ସ’ ନହେଲେ ବି ବହୁ ଲୋକଙ୍କ ଭିଡ଼ ଜମିଥିବା ଏବଂ ସାରା ସହରରେ ପ୍ରାୟ 12000 ସୁରକ୍ଷା କର୍ମୀ ମୁତୟନ ହୋଇଥିବେ । ପୂର୍ବରୁ ଅହମ୍ମଦାବାଦ ପୌର କମିଶନର ବିଜୟ ନେହରା ଟ୍ବିଟ୍ କରିଥିଲେ ଯେ, “#ମାରୁଅମ୍ଦାବାଦ ଜଣାଏ, #ନମସ୍ତେ ଟ୍ରମ୍ପ୍, #ଇଣ୍ଡିଆରୋଡ୍ଶୋ ବଡ଼ରୁ ଆହୁରି ବଡ଼ ହେବାରେ ଲାଗିଛି । 22 କିଲୋମିଟର ରୋଡ୍ ଶୋ’ରେ 1 ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଜଣାଇ ସାରିଲେଣି । ବିଶ୍ବ ଆଗରେ ଭାରତୀୟ ସଂସ୍କୃତିକୁ ଉପସ୍ଥାପନ କରିବା ଲାଗି ଅହମ୍ମଦାବାଦ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ।”
ପ୍ରଥମେ, ଅହମ୍ମଦାବାଦରେ ତିନି ଘଣ୍ଟାର ରହଣି କାଳ ଭିତରେ ସ୍ବଳ୍ପ ସମୟ ପାଇଁ ସାବରମତୀ ଆଶ୍ରମ ପରିଦର୍ଶନ ଏବଂ ନିରାଡମ୍ବର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରହିଥିବା କେତେକ ସୂତ୍ରରୁ ପ୍ରକାଶ । ଦିନ ପ୍ରାୟ ସାଢ଼େ ବାରଟା ସମୟରେ, ମୋଟେରାର ନବନିର୍ମିତ କ୍ରିକେଟ୍ ଷ୍ଟାଡିଅମ୍ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୁଇ ଶୀର୍ଷ ନେତା ବିଭିନ୍ନ ସାମାଜିକ ବର୍ଗର ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ସମବେତ ବିଶାଳ ଜନସମୂହକୁ ଉଦ୍ବୋଧନ ଦେବେ । ଏହି କାର୍ଯ୍ୟକ୍ରମ ଗତ ବର୍ଷ ହୁଷ୍ଟନ୍ରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ‘ହାଓଡି
ମୋଦି’ କାର୍ଯ୍ୟକ୍ରମ ତୁଳନାରେ ଖୁବ୍ ବିଶାଳ ଆକାରର ହେବ ।
ହୁଷ୍ଟନ୍ କାର୍ଯ୍ୟକ୍ରମରେ ଇତିହାସରେ ପ୍ରଥମ ଥର ପାଇଁ ଜଣେ ପଦାସୀନ ଆମେରିକୀୟ ରାଷ୍ଟ୍ରପତି ଜଣେ ପରିଦର୍ଶନକାରୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଫାର୍ଷ୍ଟ ଲେଡି ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ ବିମାନରେ ଆଗ୍ରା ଯାତ୍ରା କରିବେ ଏବଂ ସେଠାରେ ସେମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭ୍ୟର୍ଥନା ଜଣାଇବେ ବୋଲି ସୁନିଶ୍ଚିଚ ସୂତ୍ରରୁ ପ୍ରକାଶ । ପ୍ରେମର ଐତିହାସିକ ସ୍ମୃତିସ୍ଥଳ ତାଜମହଲରେ କିଛି ସମୟ କାଟିବା ପରେ ଟ୍ରମ୍ପ୍ ଦମ୍ପତି ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିବେ । ଫେବ୍ରୁଆରୀ 25, ମଙ୍ଗଳବାରର ସରକାରୀ କାର୍ଯ୍ୟକ୍ରମରେ ରହିଛି, ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର୍, ରାଜଘାଟରେ ପୁଷ୍ପମାଲ୍ୟ ଅର୍ପଣ, ହାଇଦ୍ରାବାଦ ହାଉସ୍ରେ ଅଧିକାରୀମାନଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ଏବଂ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା, ଆନୁଷ୍ଠାନିକ ମଧ୍ୟାହ୍ନ ଭୋଜନ ଏବଂ ନେତାମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ, ଆମେରିକା ଦୂତାବାସରେ ‘ମିଟ୍ ଆଣ୍ଡ ଗ୍ରୀଟ୍’ କାର୍ଯ୍ୟକ୍ରମ ଏବଂ ୱାଶିଂଟନ୍ ଡିସି ଫେରିଯିବା ପୂର୍ବରୁ ରାଷ୍ଟ୍ରପତିଙ୍କ ରାଜକୀୟ ଭୋଜିସଭା ।
ଗଣମାଧ୍ୟମରେ ମିଳିତ ବିବୃତି ଦେବା ପରେ ଦୁଇ ନେତା, ଉଭୟ ଭାରତ ଓ ଆମେରିକାର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନର ଉତ୍ତର ଦେବେ କି ଆଦୌ ଦେବେ ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ସରକାରୀ ସ୍ତରରେ ବାର୍ତ୍ତାଳାପ ପରେ, ଆମେରିକାର ରୁଜ୍ଭେଲ୍ଟ ହାଉସ୍ରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା କେତେକ ଭାରତୀୟ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଟ୍ରମ୍ପ୍ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ସେହିଦିନ, ସିଆଇଇ, ଅନନ୍ତା ଆସ୍ପେନ୍ ଏବଂ ୟୁଏସ୍ଆଇବିସି ସମେତ ବିଭିନ୍ନ ଶିଳ୍ପ ସଂଘ ଏବଂ ବୁଦ୍ଧିଜୀବୀ ମଣ୍ଡଳୀ ସହ ଏକ ସ୍ବତନ୍ତ୍ର ଗୋଲ ଟେବୁଲ୍ ବୈଠକର ଆୟୋଜନ କରାଯିବ । ଦୁଇ ନେତା ଯୋଗ ଦେଉନଥିବା ଶିଳ୍ପ ସମ୍ବନ୍ଧୀୟ ଏକ ସମାନ୍ତରାଳ ବୈଠକରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟରେ ଭାରତକୁ ନେଇ ଏକ 500 ବିଲିଅନ୍ ଆମେରିକୀୟ ଡଲାରର ଯୋଜନା ସଂପର୍କରେ ଆଲୋଚନା କରାଯିବ ।
କିଛିଦିନ ତଳେ, ବିପୁଳ ସଂଖ୍ୟାଗରିଷ୍ଠତା ସହ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ଅରବିନ୍ଦ କେଜ୍ରିୱାଲ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ସ୍କୁଲ୍ ଶିକ୍ଷାରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ତାଙ୍କ ବିଜୟର ପ୍ରମୁଖ କାରଣରୁ ଗୋଟିଏ ବୋଲି ବିଚାର କରାଯାଉଥିବା ବେଳେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆମେରିକାର ଫାର୍ଷ୍ଟ ଲେଡି ଦିଲ୍ଲୀର ଏକ ସରକାରୀ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ବୋଲି ଆଶା କରାଯାଉଛି । ଟ୍ରମ୍ପ୍ଙ୍କ ଗସ୍ତକାଳରେ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ପ୍ରତିନିଧି ଲିଥିଜେର୍ ତାଙ୍କ ସହ ଯୋଗ ଦେବାର ଆଶା ନଥିବାରୁ, ପ୍ରତିରକ୍ଷା ସେବା ବ୍ୟତୀତ କେବଳ ବାଣିଜ୍ୟ ଉପରେ ପ୍ରସ୍ତୁତ ଏକ କ୍ଷୁଦ୍ର ଚୁକ୍ତିନାମା ସଂପାଦିତ ହେବାର ସମ୍ଭାବନା ଖୁବ୍ କମ୍ ।
ଏସଂପର୍କରେ ଗତ ଆଠ ମାସ ହେଲା ଚାଲିଥିବା ବୁଝାମଣା, କୃଷି, ଦୁଗ୍ଧଜାତ ଦ୍ରବ୍ୟ, କରୋନାରୀ ଷ୍ଟେଣ୍ଟ୍ ସମେତ ଡାକ୍ତରୀ ଉପକରଣ ଏବଂ ତଥ୍ୟ ଓ ଯୋଗାଯୋଗ ଜ୍ଞାନକୌଶଳ (ଆଇସିଟି) ଶୁଳ୍କ ପ୍ରଭୃତି ପ୍ରମୁଖ ପ୍ରସଙ୍ଗ କ୍ଷେତ୍ରରେ ଅଟକି ରହିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାରୀ ସ୍ତରରେ ଆଲୋଚନା ଓ ଘୋଷଣାନାମାରେ ପ୍ରତିରକ୍ଷା ଏବଂ ଶକ୍ତି ପ୍ରମୁଖ ପ୍ରସଙ୍ଗ ରୂପେ ସ୍ଥାନ ପାଇବ । କାରଣ, ଆଗକୁ ଆମେରିକା ସହ ବାଣିଜ୍ୟିକ କାରବାରରେ ବଳକା ପରିମାଣ ଆହୁରି ହ୍ରାସ କରିବାକୁ ଭାରତ ଉପାୟ ଖୋଜୁଛି । ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ବାଣିଜ୍ୟିକ କାରବାରର ବଳକା ପରିମାଣ 30 ବିଲିଅନ୍ ଆମେରିକୀୟ ଡଲାରରୁ 16 ବିଲିଅନ୍ ଆମେରିକୀୟ ଡଲାରକୁ ଖସି ଆସିଛି ।