ଅଗରତାଲା: ପୁଣି ଦେଖିବାକୁ ମିଳିଛି ନିର୍ଭୟା କାଣ୍ଡର ପୁନରାବୃତ୍ତି । ଚଳନ୍ତା କାରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ସର୍କିଟ ହାଉସ ନିକଟସ୍ଥ ରାସ୍ତା କଡରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଅଗରତାଲା ଚିକିତ୍ସା ମହାବିଦ୍ୟାଳୟରୁ ଅସୁସ୍ଥ 6 ବର୍ଷର ଝିଅକୁ ଭେଟି ଘରକୁ ଫେରୁଥିବା ସମୟରେ ମହିଳା ଜଣଙ୍କ ଏପରି ପାଶବିକ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି । ଏହା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।
ପୀଡିତାଙ୍କୁ ରାସ୍ତା କଡରେ ପଡିଥିବା ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ । ଏହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏ ଘଟଣା ପରେ ଅଗରତାଲା ମହିଳା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ପୀଡିତା ଯେଉଁ ଅଟୋରେ ଯାଉଥିଲେ, ସେହି ଗାଡି ଚାଳକଙ୍କୁ ସେ ପୂର୍ବରୁ ଜାଣିଥିଲେ । ତେବେ ଅଟୋ ଚାଳକ ହଠାତ ରାସ୍ତା ପରିବର୍ତ୍ତନ କରିବାରୁ ସେ ଏହାର ପ୍ରତିବାଦ କରିଥିଲେ । ତେବେ ଚାଳକ ଜଣକ ଅଧିକ ଯାତ୍ରୀଙ୍କୁ ନେବ ବୋଲି ତାଙ୍କୁ ମିଛ କହୁଥିଲା । ତେବେ କିଛି ବାଟ ଗଲା ପରେ ଅଟୋରେ ଅନ୍ୟ 4ଜଣ ଯୁବକ ଚଢିଥିଲେ । ଏହା ପରେ ତାଙ୍କ ହାତଗୋଡି ବାନ୍ଧି ଏକ କାରରେ ନିଛାଟିଆ ଜାଗାକୁ ନେଇ ଯାଇଥିଲେ ।