କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ବିବାଦିତ ବୟାନକୁ ନେଇ କଡା ପ୍ରତିକ୍ରିୟା ଦେଇଛି ବିଜେପି । ଭାରତୀୟ ଜନତା ପାର୍ଟିର ସୋସିଆଲ ମିଡିଆ ମୁଖ୍ୟ ଅମିତ ମାଲଭିୟ ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କରିଛନ୍ତି ଟାର୍ଗେଟ । ସେ ମମତା ସରକରାଙ୍କ ଉପରେ ତୁଷ୍ଟିକରଣର ଅଭିଯୋଗ ଆଣିଛନ୍ତି ।
ଅମିତ ମାଲଭିୟ ଟ୍ବିଟ କରି କହିଛନ୍ତି, ପଶ୍ଚିମବଙ୍ଗରୁ ସବୁଠୁ ଖରାପ ଭ୍ୟାକ୍ସିନ ରାଜନୀତି ସାମ୍ନାକୁ ଆସିଛି । ସବୁଠୁ ପ୍ରଥମେ ମମତା ସରକାରରେ ମନ୍ତ୍ରୀ ଥିବା ସିଦ୍ଦିକଳା ଚୌଧୁରୀ ଭ୍ୟାକ୍ସିନ ଟ୍ରକ ଅଟକାଇଥିଲେ । ଏବେ ଆଉ ଜଣେ ଟିଏମସି ସାଂସଦ ମୁସଲମାନ ବହୁଳ ଅଞ୍ଚଳରେ ବିଜେପିର ତୁଳନା କୋରୋନା ସହ କରିଛନ୍ତି ।
ନୁସରତ କହିଥିଲେ ଯେ ଆପଣମାନେ ଆଖି ଖୋଲା ରଖନ୍ତୁ । କାରଣ ଆପଣଙ୍କ ଆଖପାଖରେ ଏପରି ଲୋକ ଅଛନ୍ତି ଯେଉଁମାନେ କୋରୋନାଠୁ ବି ବିପଦଜ୍ଜନକ । ତେବେ କୋଭିଡରୁ ଅଧିକ ବିଜେପି ବିପଦଜ୍ଜନକ ବୋଲି କହିଥିଲେ ନୁସରତ । ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପିକୁ ପଶ୍ଚିମବଙ୍ଗର ସଂସ୍କୃତି ବିଷୟରେ କିଛି ଜଣାନାହିଁ । କାରଣ ଏହା ମାନବତାବାଦକୁ ବୁଝେନାହିଁ । ସେମାନେ କଡା ପରିଶ୍ରମର ଫଳ ବୁଝନ୍ତି ନାହିଁ ବୋଲି ନିଜ ବୟାନରେ କହିଥିଲେ ନୁସରତ ।