ଅତନୁ ବିଶ୍ବାସ, ପରିସଂଖ୍ୟାନ ପ୍ରାଧ୍ୟାପକ, ଭାରତୀୟ ପରିସଂଖ୍ୟାନ ସଂସ୍ଥା, କୋଲକାତା
ମେ ମାସ ପ୍ରାରମ୍ଭିକ ଭାଗରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ମିଳିତ ଗଣରାଜ୍ୟର ସଂସଦକୁ କହିଥିଲେ ଯେ ନିକଟ ଭବିଷ୍ୟତ 'ସାଇକେଲ ଚଳାଇବା କ୍ଷେତ୍ରରେ ଏକ ସ୍ବର୍ଣ୍ଣିମ ଯୁଗ ହେବା ଉଚିତ' । ପ୍ରାୟ ଦୁଇ ବର୍ଷ ତଳର ହିରୋ ସାଇକେଲର ସେଇ ଲୋକପ୍ରିୟ ବିଜ୍ଞାପନକୁ ମନେ ପକାନ୍ତୁ 'ରୋଡ୍ ପେ ଦିଖେଗୀ, ତଭି ତୋ ଚଲେଗୀ' । ସାଇକେଲକୁ ପୁଣି ରାସ୍ତାକୁ ଫେରାଇ ଆଣିବା ସକାଶେ ଏବଂ ସାଇକେଲ ଚଳାଇବା ଲାଗି ରାସ୍ତାରେ ପୃଥକ୍ ଲେନ୍ର ଆବଶ୍ୟକତା ଦିଗରେ ଏହା ଉଦ୍ଦିଷ୍ଟ ଥିଲା । ଅବଶ୍ୟ, ଏବେ କୋଭିଡ୍-19 ପରବର୍ତ୍ତୀ ଯୁଗରେ, କୌଣସି ପ୍ରଚାର ଅଭିଯାନ ନଥାଇ ମଧ୍ୟ, 'ଦୁଇଟି ଚକ ଉପରେ ବିଶ୍ବ' ଧାରାର ପ୍ରଚଳନ ଦିଗରେ ସଙ୍କେତ ମିଳିଲାଣି । ସାମାଜିକ ଦୂରତାର ଏହି ଯୁଗରେ, ସାର୍ବଜନୀନ ପରିବହନ ବ୍ୟବସ୍ଥା ବଦଳରେ, ଲୋକମାନେ ସାଇକେଲ ଚଳାଇ ନିଜ ନିଜ କର୍ମକ୍ଷେତ୍ର ଅଭିମୁଖେ ଯିବାକୁ ପସନ୍ଦ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଉଦାହରଣ ସ୍ବରୂପ, ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ପରିତ୍ୟାଗ କରିବା ପାଇଁ ୟୁରୋପୀୟ ସଂସଦ ପକ୍ଷରୁ ଏହାର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଜାରି ଏକ ସ୍ମାରକରେ କୁହାଯାଇଛି: 'ପାଦରେ ଚାଲନ୍ତୁ କିମ୍ବା ବାଇକ୍ ଚଳାନ୍ତୁ କିମ୍ବା, ସର୍ବଶେଷ ଉପାୟ ଭାବରେ ଆପଣଙ୍କ ବ୍ୟକ୍ତିଗତ କାର୍ ଉପଯୋଗ କରନ୍ତୁ ।' ଶାରୀରିକ ସଂସ୍ପର୍ଶକୁ ସୀମିତ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସାଇକେଲ ଚାଳନାର ଉପଯୋଗିତା ସପକ୍ଷରେ ମତବ୍ୟକ୍ତ କରିଛି ।
ନିଃସନ୍ଦେହରେ, ସାଇକେଲ ଚାଳନା ପରିବହନର ଏକ ଉପଯୋଗୀ ଉପାୟ ଏବଂ ଏଥିରେ ବିପୁଳ ପରିବେଶଗତ ଏବଂ ଆର୍ଥିକ ଲାଭ ନିହିତ । ଅତୀତରେ ମାରାତ୍ମକ ବାୟୁ ପ୍ରଦୂଷଣର ମୁକାବିଲା ଲାଗି ସାଇକେଲ ଚାଳନାକୁ ଉତ୍ସାହିତ କରାଯାଉଥିଲା । ହେଲେ, ପରସ୍ପରଠାରୁ ନିରାପଦ ଦୂରତା ବଜାୟ ନରଖି ଲୋକେ ଯିବା ଆସିବାରେ ବିତାଉଥିବା ସମୟ ଦୃଷ୍ଟିରୁ ବିଚାର କଲେ, ଏଣିକି ହୁଏତ, ପରିବହନର ରୀତିନୀତି, ଅନ୍ୟୂନ ଆଂଶିକ ଭାବରେ ବଦଳିପାରେ । ବିଶ୍ବ ମହାମାରୀ ପରବର୍ତ୍ତୀ କାଳରେ ପର୍ଯ୍ୟାପ୍ତ ସାମାଜିକ ଦୂରତା ବଜାୟ ରଖିବାକୁ ହେଲେ, ଦିଲ୍ଲୀରେ ମେଟ୍ରୋ ଚଳାଚଳ ସେବାକୁ 6 ଗୁଣ ବଢ଼ାଇବାକୁ ପଡ଼ିବ, ମୁମ୍ବାଇର ଉପନଗରୀୟ ରେଳସେବାକୁ 14-16 ଗୁଣ ସମ୍ପ୍ରସାରଣ କରିବା ଆବଶ୍ୟକ ଏବଂ ବେଙ୍ଗାଲୁରୁ ମେଟ୍ରୋପଲିଟାନ୍ ପରିବହନ ନିଗମ ପାଇଁ ଆଉ 24,000 ଅଧିକ ବସ୍ ଆବଶ୍ୟକ ହେବ । ସାଧାରଣ ପରିବହନ ବ୍ୟବସ୍ଥାର କ୍ଷମତା ହ୍ରାସ ପାଇବା ସହିତ, ବିଶେଷତଃ ବଡ଼ ବଡ଼ ସହରର ରାସ୍ତାରେ କିଛି ଉପଯୁକ୍ତ ବିକଳ୍ପ ରହିବା ଦରକାର । ଏବଂ ଏଭଳି ଏକ ପରିସ୍ଥିତିରେ 'ସାଇକେଲ ଚାଳନା' ଏକ ଆଦର୍ଶ 'ସମାଧାନ' ରୂପେ ଉଭା ହେବ ।
ଯଦିଓ 'ଆଦର୍ଶ', ତଥାପି ଏତେ 'ସହଜ' ନୁହେଁ । ସ୍ପଷ୍ଟତଃ, ସହଜ ଓ ନିରାପଦ ସାଇକେଲ ଚଳାଚଳ ସକାଶେ ମୋଟରଚାଳିତ ଯାନବାହନ ଚାଲୁଥିବା ରାସ୍ତାରୁ ପୃଥକ୍ କରି କେବଳ ସାଇକେଲ ପାଇଁ, କିମ୍ବା ସାଇକେଲ ସହିତ ପାଦରେ ଚାଲୁଥିବା ଲୋକମାନଙ୍କ ପାଇଁ ଚିହ୍ନିତ ସ୍ବତନ୍ତ୍ର ରାସ୍ତାର ସଂପ୍ରସାରିତ ନେଟ୍ୱାର୍କ ସ୍ଥାପନ ଆବଶ୍ୟକ । ଡେନ୍ମାର୍କ ଓ ନେଦରଲାଣ୍ଡ୍ସ ଭଳି ଦେଶରେ ଅନ୍ତଃ ସହରାଞ୍ଚଳ ବାଇକ୍-ରାସ୍ତାର ବିସ୍ତୃତ ବ୍ୟବସ୍ଥା ରହିଛି । ନେଦରଲାଣ୍ଡ୍ସର 'ଫିଏଟ୍ସପ୍ୟାଡ୍' କିମ୍ବା ବାଇସାଇକେଲ ରାସ୍ତା ଏପରି ସୁସଂହତ ଭାବରେ ନିର୍ମାଣ କରାଯାଇଛି ଯେ, ତାହା ଦୋକାନ, ଘର, ଷ୍ଟେସନ, ସ୍କୁଲ, କର୍ମସ୍ଥଳକୁ ସଂଯୋଗ କରୁଥିବା ସବୁଦିନିଆ ରାସ୍ତାର ରୂପ ନେଇଛି ।
ବାସ୍ତବରେ କୋଭିଡ୍-19 ଏକ ବିଶ୍ବବ୍ୟାପୀ 'ତଭି ତୋ ଚଲେଗୀ' ଅଭିଯାନର ସୂତ୍ରପାତ କରିଛି । ନ୍ୟୁୟର୍କ ଏହାର ସଡ଼କ ନେଟ୍ୱାର୍କରେ ଅଧିକ 40 ମାଇଲ୍ର ସ୍ବତନ୍ତ୍ର ସାଇକେଲ ଲେନ୍ ନିର୍ମାଣ କରିଛି । ବୋଗୋଟାରେ ସାଇକେଲ ପାଇଁ ରାତାରାତି 76 କିଲୋମିଟର ଅଧିକ ରାସ୍ତା କରାଯାଇଛି । ଅକ୍ଲାଣ୍ଡରେ 17 କିଲୋମିଟର ଅସ୍ଥାୟୀ ବାଇକ୍-ଲେନ୍ ପାଇଁ ରାସ୍ତା ଉପରେ ଥିବା କାର୍ ପାର୍କିଂ ହଟାଇ ଦିଆଯାଇଛି । ମିଲାନ୍ରେ 35 କିଲୋମିଟର ରାସ୍ତାକୁ ମୁଖ୍ୟତଃ ପଥଚାରୀ ଏବଂ ସାଇକେଲ ଚାଳକଙ୍କ ପାଇଁ ରାସ୍ତାର ରୂପ ଦିଆଯାଉଛି । ପ୍ୟାରିସ୍ରେ 650 କିଲୋମିଟର ପପ୍-ଅପ୍ ସାଇକେଲ ରାସ୍ତା ନିର୍ମାଣ କରାଯାଉଛି । ସାଇକେଲ ଚାଳନା ଏବଂ ପାଦଚଲା ରାସ୍ତା ପାଇଁ ବ୍ରିଟେନ୍ 2 ବିଲିଅନ୍ ପାଉଣ୍ଡ ବିନିଯୋଗ କରିବାକୁ ସ୍ଥିର କରିଛି ଏବଂ ବିଶ୍ବର ଅନେକ ନଗରୀରେ ସାଇକେଲ ପାଇଁ ହୁଏତ ଅସ୍ଥାୟୀ ଲେନ୍ ନିର୍ମାଣ କରାଯାଇଛି କିମ୍ବା ରହିଥିବା ରାସ୍ତାର ସଂପ୍ରସାରଣ କରାଯାଇଛି ।
ଭାରତରେ ମଧ୍ୟ ଏ ଦିଗରେ କାମ ଆରମ୍ଭ ହୋଇଛି । ମୋଟରବିହୀନ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ବେଙ୍ଗାଲୁରୁ, ଥିରୁଅନନ୍ତପୁରମ୍, ଚେନ୍ନାଇ ଏବଂ ନୂଆଦିଲ୍ଲୀ ଭଳି ସହରରେ ସୁବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଉଛି । କୋଭିଡ୍-19ର ମୁକାବିଲା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା 'ଇଣ୍ଡିଆ ସାଇକେଲ୍ସ ଫର୍ ଚେଞ୍ଜ୍ ଚ୍ୟାଲେଞ୍ଜ' ଅଭିଯାନ ଆନୁକୂଲ୍ୟରେ ବିଭିନ୍ନ ସ୍ମାର୍ଟସିଟିରେ ସାଇକେଲ ଚାଳନା ଅନୁକୂଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହାୟତା ଯୋଗାଇ ଦିଆଯାଉଛି ଏବଂ ପ୍ରଥମ ପର୍ଯ୍ୟାୟରେ 10ଟି ସହରରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି ।
ଏ କ୍ଷେତ୍ରରେ ସାରା ବିଶ୍ବରେ ସଚେତନତା ସୃଷ୍ଟି ହୋଇଥିବା ବେଳେ ବଡ଼ ବଡ଼ ସହରରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବାଇକ୍ ଚଳାଉଥିବା କମ୍ପାନୀର କାରବାର ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ସାଇକେଲ କମ୍ପାନୀର ବିକ୍ରି ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ବାସ୍ତବରେ, ବିଶ୍ବ ମହାମାରୀ ଆରମ୍ଭ ହେବା ପରଠାରୁ କେତେକ ବାଇସାଇକେଲ ନିର୍ମାତା ‘ଅସୀମିତ ଚାହିଦା’ ଥିବା ଲକ୍ଷ୍ୟ କରିଛନ୍ତି । ଅନେକ ଦେଶରେ ଲୋକଙ୍କୁ ସାଇକେଲ କିଣିବା ପାଇଁ ସରକାର ଉତ୍ସାହିତ କରୁଛନ୍ତି । ଉଦାହରଣ ସ୍ବରୂପ, ଇଟାଲୀରେ 50,000ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରର ବାସିନ୍ଦାମାନଙ୍କୁ ସରକାର ଦେଉଥିବା ଲକ୍ଡାଉନ୍ ପରବର୍ତ୍ତୀ ପ୍ରୋତ୍ସାହନ ରାଶିରେ ଗୋଟିଏ ବାଇକ୍ ବା ସାଇକେଲ ମୂଲ୍ୟର 60% ବ୍ୟୟଭାର ବହନ କରିବା ଲାଗି 500 ୟୁରୋ 'ବାଇସାଇ ବୋନସ୍' ପ୍ରଦାନ କରାଯାଉଛି । ଫ୍ରାନ୍ସ ସରକାର ସାଇକେଲ ମରାମତି ପାଇଁ 50 ୟୁରୋ ମୂଲ୍ୟର ଭାଉଚର ପ୍ରଦାନ କରୁଛନ୍ତି । ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ମଧ୍ୟ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶି ପ୍ରଚଳନ କରୁଛନ୍ତି । ଉଦାହରଣ ସ୍ବରୂପ, ଗୋଟିଏ ଇଲେକ୍ଟ୍ରିକ୍ ବାଇସାଇକେଲ, ଫୋଲ୍ଡିଂ ବାଇକ୍, କିମ୍ବା କାର୍ଗୋ ବାଇକ୍ କିଣିବା ପାଇଁ କ୍ରେତାଙ୍କୁ 500 ୟୁରୋ ସରକାରୀ ଅନୁଦାନ ଦେବା ଲାଗି ଫ୍ରାନ୍ସର ଲିଅନ୍ ମେଟ୍ରୋପଲିଟାନ ରିଜିଅନ୍ ଯୋଜନା କରିଛି । ସେହିଭଳି, ପର୍ତ୍ତୁଗାଲର ରାଜଧାନୀ ଲିସ୍ବନ୍ରେ ମଧ୍ୟ ନୂଆ ସାଇକେଲ କିଣୁଥିବା ବ୍ୟକ୍ତିଙ୍କୁ ନଗଦ ଅର୍ଥ ଆକାରରେ ପ୍ରୋତ୍ସାହନ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।
ଭାରତର ସହରାଞ୍ଚଳରେ ଭୂମି ଉପଯୋଗର ମିଶ୍ରିତ ଢାଞ୍ଚା ରହିବା ସହିତ ପ୍ରାୟ 60% କ୍ଷେତ୍ରରେ ଲୋକଙ୍କ ଯାତ୍ରାର ଦୂରତା 5 କିଲୋମିଟରରୁ କମ୍ ରହିଥିବାରୁ ବିଭିନ୍ନ ଭାରତୀୟ ନଗରୀରେ ମଧ୍ୟ ସାଇକେଲ ଚାଳନାର ଉପଯୋଗ ଦିଗରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ହେଲେ ସବୁ ସହରରେ ସାଇକେଲ ବିପ୍ଳବ ଏତେ ସହଜ ନୁହେଁ । ଭାରତରେ 20 ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରରେ ସାଇକେଲର ଅଧିକ ଉପଯୋଗ କରାଯାଏ ଏବଂ ସହରର ଲୋକସଂଖ୍ୟା ବଢ଼ିବା ସହିତ ସାଇକେଲ ଉପଯୋଗ କମିବାରେ ଲାଗେ । ଉଦାହରଣ ସ୍ବରୂପ, କୋଲକାତା ଭଳି ଏକ ବ୍ୟସ୍ତବହୁଳ ସହରର ରାସ୍ତା ନିର୍ମାଣରେ ମାତ୍ର 7%ରୁ କିଛି ଅଧିକ ଭୂମି ଲାଗିଛି ଏବଂ ସେଠାରେ ସାଇକେଲ ପାଇଁ ପୃଥକ୍ ରାସ୍ତା ନିର୍ମାଣ କରିବା ଅତି କଷ୍ଟକର ମନେହୁଏ । ଏହା ସହିତ, ଏ କଥାକୁ ବି ଅସ୍ବୀକାର କରାଯାଇନପାରେ ଯେ ପୃଥିବୀର ଏହି ଭାଗରେ, ସାଇକେଲ ଚାଳକମାନେ ଅତି ସରଳ ଟ୍ରାଫିକ୍ ନିୟମକୁ ବୁଝନ୍ତି ନାହିଁ କି ଏହି ନିୟମ ସେମାନଙ୍କ ଉପରେ ଲାଗୁ ହେବ ବୋଲି ଭାବନ୍ତି ନାହିଁ ।
ଏହି ସମ୍ଭାବନାରେ ଅନ୍ୟାନ୍ୟ ସୀମାବଦ୍ଧତା ମଧ୍ୟ ରହିଛି । ମୋର ଜଣେ ବ୍ରିଟିଶ ବନ୍ଧୁ, ୱାରୱିକ୍ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର, ତାଙ୍କ ସହରତଳି ଘରୁ ସାଇକେଲରେ ରେଳ ଷ୍ଟେସନକୁ ଆସନ୍ତି, ସାଇକେଲକୁ ସାଙ୍ଗରେ ନେଇ ଟ୍ରେନ୍ରେ ଯାତ୍ରା କରି କଭେଣ୍ଟ୍ରି ରେଳ ଷ୍ଟେସନରେ ପହଞ୍ଚନ୍ତି । କଭେଣ୍ଟ୍ରି ଷ୍ଟେସନରୁ ପ୍ରାୟ ଚାରି ମାଇଲ ଦୂର ତାଙ୍କ ବିଶ୍ବବିଦ୍ୟାଳୟକୁ ପୁଣି ସାଇକେଲରେ ଯାଆନ୍ତି । ଆମ ଲୋକାଲ ଟ୍ରେନ୍ରେ ଆମେ ଏମିତି ସାଇକେଲକୁ ନେଇପାରିବା କି ?
ତଥାପି, ସମ୍ଭବତଃ 'ରୋଡ୍ ପେ ଦିଖେଗୀ'ର ଜରୁରୀ ଆବଶ୍ୟକତା ଆଗରୁ ଏତେ ପ୍ରାସଙ୍ଗିକ ଲାଗୁନଥିଲା ।