ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଦ ମେଜର ପୋର୍ଟ ଅଥରିଟି ବିଲ୍ 2020 । ଆଜି ଏହି ବିଲ ଉପରେ ଆଲୋଚନା ହେବା ପରେ ବିଲକୁ ପାରିତ କରିବା ପାଇଁ ଭୋଟିଂ ହୋଇଥିଲା । ଏଥିରେ ସପକ୍ଷରେ 84 ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ 44 ଜଣ ମତ ଦେଇଥିଲେ ।
ତେବେ ଏହି ବିଧେୟକକୁ ବିଜେଡି ସମର୍ଥନ କରିଛି । ବିଧେୟକଟିରେ ପୋର୍ଟର ଅନେକ କାର୍ଯ୍ୟ ପିପିପି ମୋଡରେ କରିବାକୁ ଉଲ୍ଲେଖ ରହିଛି । ତେବେ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ରାଜ୍ୟସଭାରେ ଏହାକୁ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଗତ କରିଥିଲେ ।
ଆଜି ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହେବା ପରେ ପାରିତ କରାଯାଇଛି । ଏହି ଆଲୋଚନାରେ ବିଜେଡି ପକ୍ଷରୁ ସାଂସଦ ସୁବାସ ସିଂ ଭାଗ ନେଇ ପାରାଦ୍ବୀପ ପୋର୍ଟକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି ।