ନୂଆଦିଲ୍ଲୀ: ଚୀନ ସହ ବିବାଦ ମଧ୍ୟରେ ଋଷ ସହ ନୌସେନା ଯୁଦ୍ଧାଭ୍ୟାସ କରିବ ଭାରତ । ଇନ୍ଦ୍ରା ନୌସେନା ଯୁଦ୍ଧାଭ୍ୟାସର ଏକାଦଶ ସଂସ୍କରଣ ଅନୁଯାୟୀ, ଭାରତ ଏବଂ ଋଷର ନୌସେନା 4 ଏବଂ 5 ସେପ୍ଟେମ୍ବରରେ ବଙ୍ଗୋପସାଗରରେ ନିର୍ଦ୍ଧାରିତ ସମୁଦ୍ର ଯୁଦ୍ଧାଭ୍ୟାସରେ ସାମିଲ ହେବେ। ଏହି ମିଳିତ ନୌସେନା ଯୁଦ୍ଧାଭ୍ୟାସ 2003 ରେ ଆରମ୍ଭ ହୋଇଥିଲା । ଇନ୍ଦ୍ରା ନୌସେନା ଉଭୟ ଦେଶର ନୌସେନା ମଧ୍ୟରେ ଦୀର୍ଘମିଆଦୀ ସମ୍ପର୍କର ପ୍ରତୀକ ଅଟେ । ତେବେ ଭାରତ ଏହି ଅଭ୍ୟାସ ଜରିଆରେ ରୁଷ ଓ ଆମେରିକା ସହ ସଂପର୍କରେ ତାଳମେଳ ରଖି ଚୀନକୁ ସନ୍ଦେଶ ଦେବାକୁ ଚାହୁଁଥିବା କୁହାଯାଉଛି ।
ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷ ଗସ୍ତରେ ଅଛନ୍ତି। ସେ ସାଂଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା ମନ୍ତ୍ରୀଙ୍କ ମିଳିତ ବୈଠକରେ ଯୋଗଦେବା ପାଇଁ ଋଷରେ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ତାଙ୍କ ଋଷ ପ୍ରତିପକ୍ଷ ଜେନେରାଲ ସର୍ଗି ଶୋଏଗୁଙ୍କୁ ଭେଟିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିସହ ଦୁଇ ଦେଶ ମଧ୍ୟରେ ସହଯୋଗ ଉପରେ ଆଲୋଚନା କରିଥିଲେ ଉଭୟ ନେତା।
2017 ପରଠାରୁ ଦୁଇ ବର୍ଷରେ ଥରେ ତିନି ସେନାର ଯୁଦ୍ଧାଭ୍ୟାସ ଇନ୍ଦ୍ର ମିଳିତ ଭାବରେ ଆୟୋଜିତ ହେଉଛି । ଉଭୟ ଦେଶର ନୌସେନା ଏହି ଯୁଦ୍ଧାଭ୍ୟାସ ପୂର୍ବରୁ ବ୍ଲାଦିବୋସ୍ତୋକରେ ହେବାର ଥିଲା । କିନ୍ତୁ କୋରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।