ପାଟନା: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ମୁଙ୍ଗେର ସହରରେ ଏବେ ଅଶାନ୍ତିର ମାହୋଲ । ଗୁରୁବାର ସହରର ଅନେକ ସ୍ଥାନରେ ହିଂସା ଉପୁଜିଥିଲା । ମୁଙ୍ଗେର ଗୁଳିକାଣ୍ଡକୁ ନେଇ ନାରାଜ ଲୋକେ ସ୍ଥାନେ ସ୍ଥାନେ ନିଆଁ ଜାଳି ହିଂସା ସୃଷ୍ଟି କରିଥିଲେ । ତେବେ ଘଟଣାକୁ ନେଇ ରାଜ୍ୟର ନୀତିଶ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ ।
ମୁଙ୍ଗେର ଗୁଳିକାଣ୍ଡକୁ ନେଇ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା । ରଣଦୀପ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏଥିରୁ ସ୍ପଷ୍ଟ ଯେ ନୀତିଶ ସରକାରଙ୍କ ନିର୍ଦ୍ଦେଶରେ ଏହି ଗୁଳି କାଣ୍ଡ ଘଟିଛି । ଘଟଣାର 72 ଘଣ୍ଟା ପରେ ମଧ୍ୟ ବର୍ତ୍ତମାନ ମୁଙ୍ଗେର ପୁଣି ଜଳୁଛି | ଏହା ସହିତ କଂଗ୍ରେସ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଛନ୍ତି ।
- ନିରୀହଙ୍କ ଉପରକୁ ଗୁଳି ଚଳାଇବା ପାଇଁ କିଏ ଦାୟୀ ?
- ଲାଠିଚାର୍ଜ ପାଇଁ କିଏ ଦାୟୀ ?
- ଗୁଳି ଚଳାଇ ଯୁବକଙ୍କୁ ହତ୍ୟା କରିବା ପାଇଁ କିଏ ଦାୟୀ?
- ଜିଲ୍ଲାପାଳ ଏବଂ ଏସପିଙ୍କ ସଂରକ୍ଷଣ ପାଇଁ କିଏ ଦାୟୀ ?
- ମୁଙ୍ଗେରରେ ଜଙ୍ଗଲରାଜ ପାଇଁ କିଏ ଦାୟୀ ?
ସୁରଜୱାଲା ଆହୁରି ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପୀଡ଼ିତଙ୍କୁ ନ୍ୟାୟ ଦିଆଯିବ ନାହିଁ ଏବଂ ଦୋଷୀଙ୍କୁ ଦଣ୍ଡ ନମିଳିଛି, ସେ ପର୍ଯ୍ୟନ୍ତ ଲୋକେ ଶାନ୍ତ ହେବେ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଏନଡିଏର ସରକାର ଅଛି । ମୁଙ୍ଗର ଏସପି ଏବଂ ଜିଲ୍ଲାପାଳ ସରକାରଙ୍କର । ତେବେ ସେମାନେ କିପରି ଷଡଯନ୍ତ୍ରର ଅଭିଯୋଗ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁରଜେୱାଲା ।
ସୁରଜେୱାଲା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏସପି, ଜିଲ୍ଲାପାଳଙ୍କୁ ପଦରୁ ବିଦା କରିବା ଯଥେଷ୍ଟ ହେବ ନାହିଁ । ଘଟଣାରେ ନ୍ୟାୟ ଦିଆଯାଉ। ଶ୍ରଦ୍ଧାଳୁଙ୍କ ଉପରେ ଅମାନବୀୟ ଆଚରଣ କରାଯାଇଛି । ତାଙ୍କ ନ୍ୟାୟ ପାଇଁ ଆମେ ଆମର ବିରୋଧ ଜାରି ରଖିବୁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ।