ପାଟନା: ଭାରତୀୟ ଇତିହାସ ରୋମାଞ୍ଚମୟ । ଅନେକ ଘଟଣା ରହିଛି ଭାରତର ଇତିହାସରେ । ସମ୍ବିଧାନ ଗଠନ ହେବା ଏବଂ ସ୍ବାଧୀନ ଭାରତରେ ତାହା ଲାଗୁ ହେବା ପରେ ଏହା କୌତୂହଳପୂର୍ଣ୍ଣ ହୋଇ ଉଠିଛି । ଭାରତୀୟ ଇତିହାସରେ ଅନେକ ତଥ୍ୟା ରହିଛି ଯାହାକୁ ଆଜି ବି ଅନେକ ଲୋକ ଜାଣି ନଥିବେ ।1946 ଡିସେମ୍ବର 9 ତାରିଖରେ ଆସେମ୍ବ୍ଲି ଗଠନ ଏବଂ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଡଃ ସଚ୍ଚିଦାନନ୍ଦ ସିହ୍ନା ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସିହ୍ନାଙ୍କୁ ଜେବି କ୍ରିପାଳିନୀଙ୍କ ଦ୍ବାରା ତାଙ୍କୁ ମନୋନୀତ କରାଯାଇଥିଲା ।
ଡଃ ସଚ୍ଚିଦାନନ୍ଦ ସିହ୍ନାଙ୍କ ଆଦ୍ୟ ଜୀବନୀ
ଡଃ ସଚ୍ଚିଦାନନ୍ଦ ସିହ୍ନା 1871 ମସିହାରେ ନଭେମ୍ବର 10 ତାରିଖରେ ସେତେବେଳର ବ୍ରିଟିଶ ଶାସିତ ବଙ୍ଗର ବକ୍ସର ଜିଲ୍ଲାରେ ମହର୍ଷୀ ବିଶ୍ବମିତ୍ରାଙ୍କ ଗ୍ରାମ ମୁରାରରେ ଏକ କାୟସ୍ଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଡଃ ସଚ୍ଚିଦାନନ୍ଦଙ୍କ ବାପା ତତ୍କାଳୀନ ଡୁମାରଓ ମହାରାଜାଙ୍କ ନିକଟରେ ମୁଖ୍ୟ ତଦସିଲଦାର ଥିଲେ । ସେପଟେ ସିହ୍ନାଙ୍କ ବାଲ୍ୟ ଶିକ୍ଷା ଗାଁ ସ୍କୁଲରେ ଶେଷ ହୋଇଥିଲା । 1889 ମସିହା ଡିସେମ୍ବର 26 ତାରିଖରେ 18 ବର୍ଷ ବୟସରେ ଉଚ୍ଚ ଶିକ୍ଷା ପାଇଁ ସେ ଇଂଲଣ୍ଡ ଗସ୍ତ କରିଥିଲେ । ସେ ଆଇନ ଶିକ୍ଷାରେ ଶିକ୍ଷାଲାଭ କରିଥିଲେ । ତେବେ ସେଠାରୁ ଆଇନ ଶିକ୍ଷା ଶେଷ କରି ଫେରିବା ପରେ 1893 ମସିହାରେ ତତ୍କାଳୀନ ହାଇକୋର୍ଟରୁ ଓକିଲ ଭାବେ ବୃତ୍ତିଗତ ପେସାରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଆହ୍ଲାବାଦ କୋର୍ଟରେ 10 ବର୍ଷ ଧରି ଓକିଲାତି କରିଥିଲେ । ଏହା ସହିତ ସେହି ସମୟରେ ପ୍ରକାଶ ପାଉଥିବା ଦେଶର ଦୁଇ ପ୍ରମୁଖ ଖବରକାଗଜ ଇଣ୍ଡିଆନ ପ୍ୟୁପୁଲ୍ସ ଏବଂ ହିନ୍ଦୁସ୍ତାନ ରିଭ୍ୟୁରେ ସହ-ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ବିହାର ଓ ବଙ୍ଗ ବିଭାଜନ
ତେବେ ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ବିହାର ଏବଂ ସେତେବେଳର ବ୍ରିଟିଶ ଶାସିତ ବଙ୍ଗରେ ବିଭାଜନ ଜୋର ଧରିସାରିଥିଲା । ଏହି ବିଭାଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ ସଚ୍ଚିଦାନନ୍ଦ ସିହ୍ନା । ସେ ପ୍ରମୁଖ ଭୁମିକା ତୁଲାଇବା ସହିତ ତାଙ୍କର ସାମ୍ବାଦିକତାକୁ ପ୍ରମୁଖ ଅସ୍ତ୍ର କରିଥିଲେ । ତେବେ ସେହି ସମୟରେ ପ୍ରକାଶ ପାଉଥିବା ବିହାର ହେରଲ୍ଡରେ କାର୍ଯ୍ୟ କରିଥିଲେ ସଚ୍ଚିଦାନନ୍ଦ । ଏହାର ସମ୍ପାଦକୀୟ ଦାୟିତ୍ବ ତୁଲାଉଥିଲେ ଗୁରୁପ୍ରସାଦ ସେନ । ଏହା ପରେ 1894 ମସିହାରେ ସଚିଦାନନ୍ଦ 'ଦ ବିହାର ଟାଇମ୍ସ' ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ । ପରେ 1906 ମସିହାରେ ଏହାର ନାମକୁ ପରିବର୍ତ୍ତନ କରି ବିହାରୀ କରିଦେଇଥିଲେ । ଏହି ଖବର କାଗଜରେ ଦୀର୍ଘଦିନ ଧରି ସେ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଖବର କାଗଜ ସହାୟତାରେ ସେ ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ ରାଜ୍ୟ ବିଭାଜନ ପାଇଁ ଏକ ଆନ୍ଦୋଳନ ଚଳାଇଥିଲେ ।
ବିଭାଜନ ପରେ ନୂତନ ଗଠିତ ରାଜ୍ୟର ନାମକୁ ବିହାର ରଖିବା ପାଇଁ ସେ ହିନ୍ଦୁ ଏବଂ ମୁସଲିମଙ୍କ ସହାୟତା ଦାବି କରିଥିଲେ । ପରେ ତାଙ୍କର ଲଗାତାର ଏହି ପ୍ରୟାସ ବଳରେ ଶେଷରେ 1905 ମସିହା ଜୁଲାଇ 5 ତାରିଖରେ ବିହାର ଗଠନ ହୋଇଥିଲା ।
ସିହ୍ନା ପାଠାଗାର
ସଚ୍ଚିଦାନନ୍ଦ ସିହ୍ନା ତାଙ୍କର ଦିବଂଗତ ସହଧର୍ମିଣୀ ରାଧିକା ସିହ୍ନାଙ୍କ ଉଦ୍ଦେଶ୍ୟରେ ସଚିଦାନନ୍ଦ ପାଠାଗାରର ଶୁଭ ଉଦଘାଟନ କରିଥିଲେ । ଗରିବ ତଥା ପ୍ରତିଭାବାନ ପିଲାଙ୍କ ସାମୂହିକ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ଏହି ପାଠାଗାର ପ୍ରତିଷ୍ଠା କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ସେହିପରି 1926 ମସିହା ମାର୍ଚ୍ଚ 10 ତାରିଖରେ ସେ ଏକ ଟ୍ରଷ୍ଟ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେହି ସମୟରେ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ପାଟନା ବିଶ୍ବବିଦ୍ୟାଳୟର କୁଳପତି ପ୍ରମୁଖ ଏହାର ଆଜୀବନ ସଦସ୍ୟ ରହିଥିଲେ । ଏହି ଟ୍ରଷ୍ଟ ସଚ୍ଚିଦାନନ୍ଦ ପାଠାଗାରକୁ ପରିଚାଳନା କରୁଥିଲା । ଉକ୍ତ ପାଠାଗାରର ଲାଇବ୍ରେରିଆନ ସଞ୍ଜୟ କୁମାର କୁହନ୍ତି, ଡଃ ସାହେବ ବାରିଷ୍ଟର ହେବା ପାଇଁ ଲଣ୍ଡନ ଯିବାକୁ ଚାହୁଁଥିଲେ । ମାତ୍ର ତାଙ୍କୁ ପରିବାରର ସଦସ୍ୟ ଛାଡ଼ିବାକୁ ଚାହୁଁନଥିଲେ । ମାତ୍ର ସେ ଲଣ୍ଡନ ଯାଇଥିଲେ ଏବଂ ବାରିଷ୍ଟର ହୋଇ ଫେରିଥିଲେ । ସେଠାରୁ ଫେରିବା ପରେ ସେ ବିହାର ଓ ବେଙ୍ଗଲ ବିଭାଜନ ପାଇଁ ପ୍ରମୁଖ ଭୁମିକା ନେଇଥିଲେ ବୋଲି ସେ କହିଥିଲେ ।
ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ଡଃ ସିହ୍ନା
1946 ମସିହାରେ ଶେଷ ଆଡ଼କୁ ବ୍ରିଟିଶ ପାର୍ଲିଆମେଣ୍ଟ ଭାରତକୁ ସ୍ବାଧୀନ ରାଷ୍ଟ୍ର ଭାବେ ଏକପ୍ରକାର ଘୋଷଣା କରିସାରିଥିଲା । 1946 ଡିସେମ୍ବର ମାସ 9 ତାରିଖରେ ଦେଶ ଗଠନ ପାଇଁ ଦିଲ୍ଲୀର କନଷ୍ଟିଚ୍ୟୁସନ ହଲରେ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ଜନପ୍ରତିନିଧି ଏକତ୍ରିତ ହୋଇଥାନ୍ତି । ତେବେ ଏହି ସମୟରେ ସଂସଦୀୟ ବୈଠକରେ ତତ୍କାଳୀନ କଂଗ୍ରେସ ନେତା ଆଚାର୍ଯ୍ୟ ଜେବି କ୍ରିପାଳିନି ଡଃ ସଚ୍ଚିଦାନନ୍ଦଙ୍କୁ ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ କ୍ରିପାଳିନିଙ୍କ ପ୍ରସ୍ତାବକୁ ସମର୍ଥନ ମଧ୍ୟ ଜଣାଇଥିଲେ । ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସିଥିଲା । ତେବେ ଦାୟିତ୍ବ ଗ୍ରହଣ ପରେ ଏକ ଉନ୍ନତ, ଶୃଙ୍ଖଳିତ ତଥା ସ୍ବାଧୀନ ଭାରତ ଗଠନରେ ସମ୍ବିଧାନର ନିର୍ମାଣ ନେଇ ଅନେକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକ, ଚୀନ ଏବଂ ଅଷ୍ଟ୍ରେଲିଆର ସମ୍ବିଧାନକୁ ଅନୁସରଣ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ସେ କହିଥିଲେ ।
ଖୁଦାବକ୍ସ ପାଠାଗାର
1984 ମସିହାରେ ଡଃ ସଚ୍ଚିଦାନନ୍ଦ ଆହ୍ଲାବାଦ ହାଇକୋର୍ଟରେ ଓକିଲାତି ପେସାରେ ଅଭ୍ୟାସ ଜାରି ରଖିଥିବା ବେଳେ ବିଚାରପତି ଖୁଦା ବକ୍ସ ଖାନଙ୍କ ସହିତ ଭେଟହୁଏ । ଖୁଦାବକ୍ସ ଛାପରାରୁ ଆସି ଏଠାରେ ବିଚାରପତି ଭାବେ ଦାୟିତ୍ବ ତୁଲାଉଥାନ୍ତି । ମାତ୍ର ସେ ତାଙ୍କର ନିଜର ଏକ ପାଠାଗାର ଗଢିଥାନ୍ତି । ଏହାକୁ ସେ ପାଟନାରେ 1891 ମସିହା ଅକ୍ଟୋବର ମାସ 29 ତାରିଖରେ ପ୍ରତିଷ୍ଠା କରିଥିଲେ । ତେବେ ଦେଶର ସର୍ବପୁରାତନ ପାଠାଗାର ମଧ୍ୟରେ ଏହାର ନାମ ମଧ୍ୟ ଆସିଥାଏ । ତେବେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଖାନଙ୍କ ହାଇଦ୍ରାବାଦସ୍ଥିତ ଥିବା ନିଜାମ ହାଇକୋର୍ଟକୁ ବଦଳି ହୋଇଯିବା ପରେ ଉକ୍ତ ଖୁଦାବକ୍ସ ପାଠାଗାରର ଦାୟିତ୍ବ ଡଃ ସଚ୍ଚିଦାନନ୍ଦଙ୍କ ଅଧିନରେ ଥିଲା ।
1950, ମାର୍ଚ୍ଚ 6
1950 ମାର୍ଚ୍ଚ 6 ତାରିଖ ଥିଲା ଦେଶ ପାଇଁ ଏକ କଳା ଦିବସ । ଦେଶ ଗଠନ ହେଉ ଅବା ରାଜ୍ୟ ବିଭାଜନ, ସବୁଥିଲେ ନେତୃତ୍ବ ନେଉଥିବା ଡଃ ସଚ୍ଚିଦାନନ୍ଦ ପାଟନା ଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବୟସାଧିକ କାରଣରୁ ସେ ଦୀର୍ଘ ଦିନ ରୋଗାଗ୍ରସ୍ତ ହେବା ପରେ ଏହି ଦିନ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତେବେ ସଚିଦାନନ୍ଦଙ୍କ ମୃତ୍ୟୁର କିଛି ଦିନ ପରେ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ତାଙ୍କର ଏବଂ ତାଙ୍କ ପତ୍ନୀ ରାଧିକା ସିହ୍ନାଙ୍କର ଦୁଇଟି ତୈଳଚିତ୍ରକୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ କି ସଚ୍ଚିଦାନନ୍ଦ ହେଉଛନ୍ତି ଆଧୁନିକ ବିହାରର ପିତା । ଏହି ରାଜ୍ୟ ଗଠନ କରିବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ସେ କହିଥିଲେ ।
ସେହିପରି ସାମାଜିକ କର୍ମୀ ଅନୀଶ ଅଙ୍କୁର କହିଥିଲେ କି ଡଃ ସଚ୍ଚିଦାନନ୍ଦ ସିହ୍ନା ବେଙ୍ଗଲ ଏବଂ ବିହାର ବିଭାଜନରେ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ । ସାମ୍ବାଦିକ ତଥା ଲେଖକ ଅରୁଣ ସିଂ କହିଥିଲେ କି, ପ୍ରତିଭା ଏବଂ ଦକ୍ଷତା ବଳରେ ସେ ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥିଲେ । ଏହା ସହିତ ସେ ଅନେକ ଗୁରୁତ୍ତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି । ଏହା ସହିତ ସେ ସମ୍ବିଧାନ ଗଠନରେ ମଧ୍ୟ ଅନେକ ଗୁରୁ ଦାୟିତ୍ବ ତୁଲାଇ ସାରିଛନ୍ତି । ଏପରିକି ସେ 1936ରୁ 1944 ମସିହା ପର୍ଯ୍ୟନ୍ତ ପାଟନା ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ମଧ୍ୟ ରହିଥିବା ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ବିହାର ଏବଂ ଓଡ଼ିଶାରେ ଅଫିସ ଅପ ଦ ପ୍ରେସିଡ଼େଣ୍ଟରେ କାର୍ଯ୍ୟ ତୁଲାଇଥିଲେ । ଏହା ସହିତ ସେ ବିହାର ଏବଂ ଓଡ଼ିଶା ସରକାରଙ୍କ ଅଧିନରେ ଥିବା ଏକଜିକ୍ୟୁଟିଭ କାଉନସେଲରରେ ମଧ୍ୟ ଦାୟିତ୍ବ ତୁଲାଇ ଥିଲେ ବୋଲି ସେ ସୂଚନା ଦେଇଥିଲେ ।