ମୁମ୍ବାଇ: ଔରଙ୍ଗାବାଦ ସହରର ସତାରା ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବାଥରୁମରୁ ମିଳିଲା ଭାଇ ଓ ଭଉଣୀଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ରାତିରେ ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକ ଦୁଇ ଜଣ ହେଉଛନ୍ତି 19 ବର୍ଷିୟା କିରଣ ଲାଲଚାନ୍ଦ ରାଜପୁତ ଏବଂ 17 ବର୍ଷିୟ ସୌରଭ ଲାଲଚାନ୍ଦ ରାଜପୁତ । କିରଣ ପୁଣେର ଆଧୁନିକ କଲେଜରେ ପଢୁଥିବାବେଳେ ତାଙ୍କ ଭାଇ ସୌରଭ ଦଶମ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି ।
ସୂଚନାମୁତାବକ ଘରେ ପରିବାର ଲୋକ ନଥିବା ସମୟରେ ଉଭୟଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ରାତି ପ୍ରାୟ 8ରେ ପରିବାର ଲୋକ ଫେରିବା ପରେ ଘରେ ଉଭୟଙ୍କୁ ନପାଇ ସବୁଆଡ଼େ ଖୋଜାଖୋଜି କରିଥିଲେ । ଶେଷରେ ବାଥରୁମ ଭିତରେ ସେମାନଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରିବାର ସଦସ୍ୟମାନେ ସେମାନଙ୍କ ସନ୍ତାନ ହରାଇବାରେ ଦୁଃଖରେ ପୁରା ଭାଙ୍ଗିପଡ଼ିଥିଲେ ।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ସତରା ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ